ଅନୁଗୁଳ: ଧାନ ନେଲେ, କିନ୍ତୁ ଦେଉନାହାନ୍ତି ଟଙ୍କା। ସମବାୟ ସମିତିକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି ଚାଷୀ। ଅନୁଗୁଳ ବ୍ଲକ ବେଡା ଶାସନ ସେବା ସମବାୟ ସମିତି ସମ୍ପାଦକଙ୍କ ବିରୋଧରେ ଏମିତି ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଚାଷୀ। ଏ ନେଇ ଚାଷୀମାନେ ଶୁକ୍ରବାର ଅନୁଗୁଳ ଜିଲ୍ଲାପାଳଙ୍କୁ ଭେଟି ସମ୍ପାଦକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ଚାଷୀଙ୍କ ଅଭିଯୋଗ ମୁତାବକ, ସେମାନେ ସ୍ଥାନୀୟ ବେଡା ଶାସନ ସେବା ସମବାୟ ସମିତିର ସଭ୍ଯ ଛଇଳ ସାହୁଙ୍କ ପୁଅ ତଥା ସମିତି ସମ୍ପାଦକ ନିହାର କାନ୍ତ ସାହୁଙ୍କୁ ପ୍ରାୟ ଚାରିମାସ ତଳେ ୧୭ କ୍ୱିଣ୍ଟାଲ ୮୦ କେଜି ଧାନ ବିକ୍ରି କରିଥିଲେ l କିନ୍ତୁ ତାଙ୍କ ଆଖି ସ୍କାନ୍ ନେଲା ନାହିଁ। ଏଣୁ ଟଙ୍କା ମିଳିନାହିଁ ବୋଲି ସେ ସେତେବେଳେ କହିଥିଲେ। ସେ ପରେ ଟଙ୍କା ଦେବେ ବୋଲି କହିଥିଲେ। କିନ୍ତୁ ଇତି ମଧ୍ୟରେ ଚାରି ମାସ ବିତିଥିଲେ ବି ସେ ଟଙ୍କା ନ ଦେଇ ହଇରାଣ କରି ଚାଲିଛନ୍ତି l ଏଣୁ ବାଧ୍ୟ ହୋଇ ଚାଷୀ ମାନେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି। ଜିଲ୍ଲାପାଳ ତୁରନ୍ତ ସମ୍ପାଦକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ଟଙ୍କା ପାଇବାରେ ସାହାଯ୍ୟ କରନ୍ତୁ ବୋଲି ଚାଷୀମାନେ ଦାବି କରିଛନ୍ତି।