ଉଡ଼ିବାର ନିଶାରେ ବିମାନ କିଣିଦେଲେ, ବାଟ କଢ଼ାଇଥିଲା ଅଦମ୍ୟ ଇଚ୍ଛାଶକ୍ତି

You are currently viewing ଉଡ଼ିବାର ନିଶାରେ ବିମାନ କିଣିଦେଲେ, ବାଟ କଢ଼ାଇଥିଲା ଅଦମ୍ୟ ଇଚ୍ଛାଶକ୍ତି

ଅନୁଗୁଳ: ବାପା ଟ୍ରାନ୍‌ସ୍‌ପୋର୍ଟିଂ ବ୍ୟବସାୟ କରୁଥିଲେ। ସେ ପଢ଼ୁଥିଲେ ସରକାରୀ ସ୍କୁଲରେ। ସେମିତି କ୍ଲାସ୍‌ରେ ଟପ୍‌ କରୁ ନଥିଲେ କି ପଛରେ ବି ପଡ଼ି ନଥିଲେ। ହେଲେ କେବଳ ଉଚ୍ଚ ଆକାଂକ୍ଷା ରଖିଥିଲେ। ସ୍ବପ୍ନ ଥିଲା, ବଡ଼ ହେଲେ ଉଡ଼ାଜାହାଜ ଉଡ଼ାଇବେ। ଯୁକ୍ତ ଦୁଇ ପରେ ପରେ ଭୁବନେଶ୍ବର ଚାଲିଗଲେ ପାଇଲଟ୍‌ ପ୍ରଶିକ୍ଷଣ ପାଇଁ। ପ୍ରଶିକ୍ଷଣ ନେଲେ ଏବଂ ପ୍ରାଇଭେଟ୍‌ ଜେଟ୍‌ ଚଲାଇବାର ସୌଭାଗ୍ୟ ଲାଭ କଲେ। ହେଲେ ସ୍ବପ୍ନକୁ ଏତିକିରେ ବିରାମ ଦେଲେନି। ଦୀର୍ଘ ୧୫ ବର୍ଷର ପାଇଲଟ୍‌ ବୃତ୍ତି ପରେ ସେ ତିଆରି କଲେ ନିଜ କମ୍ପାନି ଏବଂ କିଣିଲେ ବିମାନ। ଏବେ ତାଙ୍କର ନିଜର ଜେଟ୍‌ ଉଡ଼ୁଛି। ବର୍ଷେ ଭିତରେ ସେ ଭୁବନେଶ୍ବରରୁ ହଂକଂ, ସ୍ପେନ୍‌, ବ୍ରାଜିଲ୍‌, ଇସ୍ତାନ୍‌ବୁଲ୍‌, ଦୁବାଇ ପ୍ରଭୃତି ଜାଗାକୁ ଜେଟ୍‌ ଉଡ଼ାଇ ସାରିଲେଣି। ସେ ହେଉଛନ୍ତି ଅନୁଗୁଳ ବଣିଆବାହାଲ ହୁଲୁରୁସିଂହାର କ୍ୟାପ୍‌ଟେନ୍‌ ସନ୍ଦୀପ ମିଶ୍ର। କେବଳ ଅନୁଗୁଳର ନୁହେଁ, ବରଂ ସାରା ରାଜ୍ୟର ଯୁବପିଢ଼ି ପାଇଁ ସେ ଆଦର୍ଶ ପାଲଟିଛନ୍ତି। ଖୁବ୍‌ଶୀଘ୍ର ଆଉ ଗୋଟିଏ ବିମାନ ଲିଜ୍‌ରେ ଆଣିବେ ଏବଂ ଏହା ଏୟାର ଆମ୍ବୁଲାନ୍‌ସ୍‌ ସେବାରେ ଲାଗିବ ବୋଲି କହିଛନ୍ତି ସନ୍ଦୀପ।

ବଣିଆବାହାଲର ସୁଧୀର କୁମାର ମିଶ୍ରଙ୍କ ପୁଅ ହେଉଛନ୍ତି କ୍ୟାପଟେନ ସନ୍ଦୀପ ମିଶ୍ର। ପିଲାଦିନ ପାଠପଢ଼ା କଟିଥିଲା ସରସ୍ଵତୀ ଶିଶୁ ମନ୍ଦିରରେ। ପିଲାବେଳୁ ଆକାଶରେ ଉଡ଼ିବାକୁ ଥିଲା ଅଦମ୍ୟ ଇଚ୍ଛା। ଛୋଟ ଥିଲା ବେଳେ ଉଡ଼ାଜାହାଜ ଦେଖି ଆନମନା ହୋଇପଡୁଥିଲେ। ଆକାଶରେ ଉଡ଼ିଲେ କେମିତି ଲାଗେ? ତଳେ ଥିବା ଲୋକ କେମିତି ଦିଶନ୍ତି? ବାଦଲ ମଝିରେ ପ୍ଲେନ ଉଡ଼ିଲା ବେଳେ କେମିତି ଅନୁଭବ ହୁଏ? ଏମିତି ଭାବନା ସବୁ ତାଙ୍କ ମନରେ ଉଙ୍କି ମାରୁଥାଏ। ଶେଷରେ ଆକାଶରେ ଉଡ଼ିବା ନିଶାରେ ସେ ଓଡ଼ିଶା ଛାଡ଼ିଲେ। ଆଉ ସ୍ୱପ୍ନରେ ଡେଣା ଲଗାଇବାକୁ ଫ୍ଲାଇଂ କ୍ଲବ୍ ରେ ଯୋଗ ଦେଲେ। କୋର୍ସ ସାରିବା ପରେ କିଛି ଦିନ ସେଞ୍ଚୁରିୟନ୍ ବିଶ୍ଵବିଦ୍ୟାଳୟରେ ଫ୍ଲାଇଙ୍ଗ କୌଶଳ ଶିକ୍ଷା ଦେଲେ। ହେଲେ ମନ କୋଉ ବୁଝୁଛି। ଶେଷରେ ଓଏସଏଲ୍ କମ୍ପାନୀର ଚାର୍ଟର୍ ପ୍ଲେନ୍ ଉଡ଼ାଇବାକୁ ସୁଯୋଗ ମିଳିଲା। କିଛି ବର୍ଷ ବିମାନ ଉଡ଼ାଇବା ପରେ ତାଙ୍କ ଭିତରେ ଥିବା ଅଦମ୍ୟ ଇଚ୍ଛା ଶକ୍ତି ଏହି ବିଦ୍ୟାରେ ତାଙ୍କୁ ପାରଙ୍ଗମ କରିଦେଇଥିଲା।

କିନ୍ତୁ ଲକ୍ଷ୍ୟ ଥିଲା ନିଜର ବିମାନ ଉଡ଼ାଇବେ। କକ୍-ପିଟରେ ବସି ସିଟବେଲ୍ଟ ବାନ୍ଧି ନିଜ ଉଡ଼ାଜାହାଜକୁ ନିଜେ ଟେକଅପ କରିବେ। ଆଉ ତାଙ୍କର ଏ ଦୃଢ଼ ଇଚ୍ଛା ୨୦୨୪ ଡିସେମ୍ବରରେ ପୂରଣ ହେଲା। ସନ୍ଦୀପ କିଣିଲେ ନିଜର ସ୍ୱପ୍ନର ବିମାନ। ଏହା ହେଉଛି ଏକ ବ୍ରାଜିଲିୟ ଏମ୍ବ୍ରେୟର ବିଜନେସ ଜେଟ୍। ଏବେ କ୍ୟାପଟେନ ସନ୍ଦୀପ ନିଜ ବିମାନକୁ ନିଜ ଇଚ୍ଛାରେ ଆକାଶ ବୁକୁରେ ଉଡ଼ାଉଛନ୍ତି। କୁହନ୍ତି ନା, ଇଚ୍ଛା ଥିଲେ ଉପାୟ ଆପେ ମିଳେ, ବାଟ ଛାଁ ଖୋଲିଯାଏ। ସନ୍ଦୀପଙ୍କ କ୍ଷେତ୍ରରେ ବି କିଛି ସେମିତି ହୋଇଛି। ଜଗନ୍ନାଥଙ୍କ ଆଶୀର୍ବାଦକୁ ପାଥେୟ କରି ସେ ବିମାନରେ ମହାପ୍ରଭୁଙ୍କ ମୂର୍ତ୍ତି ରଖିଛନ୍ତି। ଆଗକୁ ସନ୍ଦୀପ ଆଉ ଏକ ବିମାନ କିଣିବାକୁ ଲକ୍ଷ୍ୟ ରଖିଛନ୍ତି, ଯାହାକୁ ସେ ଆମ୍ବୁଲାନ୍ସ ଭାବେ ବ୍ୟବହାର କରିବେ। ରୋଗୀଙ୍କୁ ସେବା ଯୋଗାଇବେ।

ସନ୍ଦୀପ ହିଁ ପ୍ରମାଣ କରିଛନ୍ତି ସବୁ ସ୍ୱପ୍ନ ପୂରଣ ହୋଇପାରେ, ବାସ୍ ଦରକାର କେବଳ ଆତ୍ମବିଶ୍ବାସ ଓ ଅଦମ୍ୟ ଇଚ୍ଛାଶକ୍ତି।

Share

Leave a Reply