ଟିଟିପିଏସ୍ ଗେଟ୍ ସମ୍ମୁଖରେ ସାଂସଦଙ୍କ ମୌନବ୍ରତ ସହ ଧାରଣା

0

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଥର୍ମାଲ୍ ପାୱାର ପ୍ଲାଣ୍ଟ୍ (ଟିଟିପିଏସ୍) ବନ୍ଦ ପ୍ରତିବାଦରେ ସୋମବାର ଢେଙ୍କାନାଳ ସାଂସଦ ମହେଶ ସାହୁ ପ୍ଳାଣ୍ଟ ସମ୍ମୁଖରେ ମୌନବ୍ରତ ସହ ଧାରଣାରେ ବସିଥିଲେ। କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଓ ଆନ୍ତରିକତା ଅଭାବ ଯୋଗୁଁ ୫୦ ବର୍ଷର ଏହି ପ୍ଲାଣ୍ଟକୁ ପୁନରୁଦ୍ଧାର କରାନଯାଇ ବନ୍ଦ କରିଦିଆଯାଇଛି ବୋଲି ସାଂସଦ ଶ୍ରୀ ସାହୁ ଅଭିଯୋଗ କରିଛନ୍ତି। ଏହି ବିଦ୍ୟୁତ୍‌ ପ୍ରକଳ୍ପ ବନ୍ଦ ହୋଇପଡ଼ିବାରୁ ୧୫୦୦ରୁ ଊର୍ଦ୍ଧ୍ବ ଠିକା ଶ୍ରମିକ କାମଧନ୍ଦା ନପାଇ ଦୁଃଖକଷ୍ଟରେ ଜୀବନ କାଟୁଛନ୍ତି। ୬୬୦ ମେଗାୱାଟ ବିଶିଷ୍ଟ ୨ଟି ୟୁନିଟ୍‌ରୁ ୧୩୨୦ ମେଗାୱାଟ ବିଦ୍ୟୁତ୍ ଉତ୍ପାଦନ ପାଇଁ ରାଜ୍ୟ ସରକାର ଅନୁମତି ଦେଇଥିଲା ବେଳେ କେନ୍ଦ୍ର ସରକାର ଜାଣିଶୁଣି କାଳକ୍ଷେପଣ ନୀତି ଅବଲମ୍ବନ କରୁଥିବାରୁ ନୂଆ ପ୍ଲାଣ୍ଟ୍‌ର ଭବିଷ୍ୟତ ନେଇ ଅନିଶ୍ଚିତତା ଦେଖାଦେଇଛି ବୋଲି ସାଂସଦ ପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଏନ୍‌ଟିପିସି ପରିଚାଳିତ ଟିଟିପିଏସ୍‌ ସମୁଦାୟ ୬ଟି ୟୁନିଟ୍‌ ୪୬୦ ମେଗାୱାଟ ବିଦ୍ୟୁତ୍ ଶକ୍ତି ଉତ୍ପାଦନ ହୋଇ ରାଜ୍ୟ ଗ୍ରୀଡକୁ ଯୋଗାଇ ଦିଆଯାଉଥିଲା। ଗତ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବିଦ୍ୟୁତ୍ ଉତ୍ପାଦନ ହୋଇ ଆସୁଥିଲା ବେଳେ ପୁରୁଣା କାଳିଆ ପ୍ଳାଣ୍ଟ ଦର୍ଶାଇ ଏହାକୁ ବନ୍ଦ କରାଯାଇଥିଲା। ବିଭିନ୍ନ ମହଲରେ ବାରମ୍ବାର ଦାବି ପରେ ମଧ୍ୟ ଜାଣିଶୁଣି ଟିଟିପିଏସ୍ ପ୍ଲାଣ୍ଟକୁ ବନ୍ଦ କରାଯାଇଥିବାରୁ ସାଂସଦ ଶ୍ରୀ ସାହୁ ଏହି ମୌନବ୍ରତ ଓ ଧାରଣା ଦେଇଥିଲେ। ସାଂସଦ ଶ୍ରୀ ସାହୁଙ୍କ ସହ ବିଜେଡି ନେତା ଗଦାଧର ସାହୁ, ମନୋରଞ୍ଜନ ମହାନ୍ତି, କୃଷ୍ଣଚନ୍ଦ୍ର ରଥ, ମନୋଜ ପ୍ରଧାନ, ହର୍ଷ ସାମଲ, ଚନ୍ଦନ ସାମଲ ଓ ଜମ୍ବେଶ୍ବର ସାମଲଙ୍କ ସମେତ ବହୁ ଦଳୀୟ ନେତା ଏଥିରେ ସାମିଲ ଥିଲେ । ଦୁଇ ଘଣ୍ଟା ପାଇଁ ଏହି ଧାରଣା ଦିଆଯାଇଥିଲା।

Leave A Reply

Your email address will not be published.

error: Content is protected !!