ରାସ୍ତାରେ ମୋରମ ବଦଳରେ ମାଟି ପକାଉଛନ୍ତି କଣ୍ଟ୍ରାକ୍ଟର, ମିଳିତ ଜନ ଶୁଣାଣିରେ ଅଭିଯୋଗ କଲେ ସନ୍ଥପଡ଼ାବାସୀ

0

ତାଳଚେର : ୧୪୯ ନଂ ଜାତୀୟ ରାଜପଥ ଆନନ୍ଦ ବଜାର ଛକ ଠାରୁ କମଳାଙ୍ଗ ଓଭର ବ୍ରିଜ ପର୍ଯ୍ୟନ୍ତ ଆରଡି ବିଭାଗ ତରଫରୁ ହେଇଥିବା ରାସ୍ତା କାମ ଅତ୍ୟନ୍ତ ନିମ୍ନମାନର ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏଣୁ ସମ୍ପୃକ୍ତ ଠିକାଦାରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସୋମବାର ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣିରେ ଅନୁଗୁଳ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରାଯାଇଛି।

ସୂଚନ ମୁତାବକ, ସନ୍ଥପଡା ଗ୍ରାମ ପଞ୍ଚାୟତ ଦେଇ ଆନନ୍ଦ ବଜାର ଛକ ଠାରୁ ସନ୍ଥପଡା, ଦାଶନାଳି, ଟୋଲକନୁଣ୍ଡି ଗ୍ରାମ ମଧ୍ୟ ଦେଇ କମଳାଙ୍ଗ ରେଲୱେ ଓଭର ବ୍ରିଜ ପର୍ଯ୍ୟନ୍ତ ଆରଡି ବିଭାଗ ତରଫରୁ ୪, ୧୧,୫୯,୦୬୩ ଟଙ୍କା ବ୍ୟୟ ଅଟକଳରେ ୫.୫ କି.ମି ରାସ୍ତା କାମ ଚାଲୁଛି। କିନ୍ତୁ ରାସ୍ତା କାମ କରୁଥିବା କଣ୍ଟ୍ରାକ୍ଟରର ରାସ୍ତାର ଦୁଇ ପାର୍ଶ୍ୱରେ ମୋରମ ପକାଇବା ବଦଳରେ ମାଟି ପକାଉଛନ୍ତି। ଆଉ ଯେଉଁ ପିଚୁ କାମ କରାଯାଇଛି ତାହା ଅତି ନିମ୍ନମାନର। କାମ ନ ସରୁଣୁ କିଛି ସ୍ଥାନରୁ ପିଚୁ ଉଠିସାରିଲାଣି। ତେବେ ରାସ୍ତାର ଦୁଇ ପାର୍ଶ୍ୱରେ ମାଟି ପଡ଼ିଥିବାରୁ ବର୍ଷା ପରେ କାଦୁଅ ହୋଇ ଲୋକେ ଯିବା ଆସିବା ବେଳେ ହଇରାଣ ହେଉଛନ୍ତି। ଏଣୁ ଆସପଣ୍ଡ ଠାରୁ ନମନାଙ୍ଗ ବ୍ରିଜ ପର୍ଯ୍ୟନ୍ତ ମାଟି ପକାଯାଇଥିବା ସ୍ଥାନକୁ ସଠିକ ଭାବରେ ତଦନ୍ତ କରି ପୁନର୍ବାର ମୋରମ ପକାଇବା ସହିତ ଭଲ ଭାବରେ ପିଚୁ କାମ କରିବା ସହ ସମ୍ପୃକ୍ତ କଣ୍ଟ୍ରାକ୍ଟରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କୁ ଅଭିଯୋଗ କରାଯାଇଛି। ଦାବି ପତ୍ର ପ୍ରଦାନ ବେଳେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା, ଗଦାଧର ସାମଲ, ବିନୋଦ କୁମାର ସାମଲଙ୍କ ସମେତ ବହୁ ସନ୍ଥପଡ଼ାବାସୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.

error: Content is protected !!