ତାଳଚେର : ତାଳଚେର ବ୍ଲକ ପଦ୍ମାବତୀପୁର ପଞ୍ଚାୟତ କନ୍ଧବେରେଣୀ ଆଶ୍ରମ ବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ସରଗି ଫୁଲ ୨୦୨୨ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ପ୍ରତିଯୋଗିତାରେ ଜିଲ୍ଲାର ୪୪ଟି ଆଶ୍ରମ ବିଦ୍ୟାଳୟର ୨୧୦ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ଧ୍ୟା ମାଝୀଙ୍କ ଅଧ୍ୟକ୍ଷତାରେ ଉଦ୍ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ସନ୍ତୋଷ କୁମାର ପ୍ରଧାନ ଓ ମୁଖ୍ୟ ବକ୍ତା ଭାବରେ ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁ ଯୋଗ ଦେଇଥିଲେ।
ଅନୁସୂଚିତ ଜାତି ଓ ଜନଜାତିର ପିଲାଙ୍କ ଅନ୍ତର୍ନିହିତ ଗୁଣର ବିକାଶ ଏବଂ ପ୍ରତିଭାକୁ ଲୋକଲୋଚନକୁ ଆଣିବାକୁ ସରଗି ଫୁଲ କାର୍ଯ୍ୟକ୍ରମ ଏକ ପ୍ରକୃଷ୍ଟ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଚିତ୍ରାଙ୍କନ, କୁଇଜ୍, ଏକକ ସଙ୍ଗୀତ, ଏକକ ଅଭିନୟ, ବିଜ୍ଞାନ ପ୍ରଦର୍ଶନୀ, ବକ୍ତୃତା, ସୃଜନାତ୍ମକ ଲିଖନ, ସୋଲୋ ଡ୍ୟାନ୍ସ, ଗ୍ରୁପ ଡ୍ୟାନ୍ସ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
ଅପରାହ୍ନରେ ଉଦ୍ଯାପନୀ ସମାରୋହରେ ପ୍ରଧାନଶିକ୍ଷକ ନାରାୟଣ ସାହୁ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବରେ ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ଧ୍ୟା ମାଝୀ, ମୁଖ୍ୟବକ୍ତା ସମାଜସେବୀ ବିଭୂତି ଭୂଷଣ ସ୍ୱାଇଁ, ସମ୍ମାନିତ ଅତିଥି ଭାବେ ପାଳଲହଡ଼ା ବ୍ଲକ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ସୁବାସ ଚନ୍ଦ୍ର ସାହୁ, ସାମ୍ବାଦିକ ସନ୍ତୋଷ କୁମାର ପରିଡ଼ା ଓ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ କେଦାର ଚନ୍ଦ୍ର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ଉପଢୌକନ ଦେଇ ପୁରସ୍କୃତ କରାଯାଇଥିଲା।
କାର୍ଯ୍ୟକ୍ରମକୁ ଲଳିତ ମୋହନ ବେହେରା ପରିଚାଳନା କରିଥିବା ବେଳେ ବ୍ଲକ ସଂପ୍ରସାରଣ ଅଧିକାରୀ ମାନସ ରଞ୍ଜନ ଭଞ୍ଜଦେଓ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବଅଁରପାଳ ବ୍ଲକ ସଂପ୍ରସାରଣ ଅଧିକାରୀ ପରିତୋଷ ପାଣିଗ୍ରାହୀ, ଛେଣ୍ଡିପଦା ବ୍ଲକ ସଂପ୍ରସାରଣ ଅଧିକାରୀ ଶୁଭ୍ରଜିତ ରାଉତ, ପାଳଲହଡ଼ା ବ୍ଲକ ସଂପ୍ରସାରଣ ଅଧିକାରୀ ମନୋରଞ୍ଜନ ରାଉତଙ୍କ ସମେତ ଶିକ୍ଷକ ନରୋମ ସାମଲ, ଦିଲ୍ଲୀପ ପରିଡ଼ା, ପ୍ରବୀର କୁମାର ପ୍ରଧାନ, ଅଞ୍ଜନ କୁମାର ଶତପଥୀ, ନୀଳକଣ୍ଠ ସାହୁ, ପ୍ରମୋଦ ସାହୁ, ଲକ୍ଷ୍ମୀଧର ବେହେରା, ଘନଶ୍ୟାମ ସାହୁ, କନକ କିଷାନ, ଦେବକୀ ପାତ୍ର, ମଞ୍ଜୁ ସାହୁ, ଫୁଲବାଣୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।