ଅନୁଗୁଳ ପର୍ଯ୍ୟବେକ୍ଷଣ ଗୃହର ସୁରକ୍ଷା ବ୍ୟବସ୍ଥା ଫେଲ୍: ଡ୍ରେନ୍ ଗାତ ଦେଇ ଚମ୍ପଟ ମାରିଲେ ୨ ଦୁର୍ଦ୍ଦାନ୍ତ ବାଳ ଅପରାଧୀ

You are currently viewing ଅନୁଗୁଳ ପର୍ଯ୍ୟବେକ୍ଷଣ ଗୃହର ସୁରକ୍ଷା ବ୍ୟବସ୍ଥା ଫେଲ୍: ଡ୍ରେନ୍ ଗାତ ଦେଇ ଚମ୍ପଟ ମାରିଲେ ୨ ଦୁର୍ଦ୍ଦାନ୍ତ ବାଳ ଅପରାଧୀ

ଅନୁଗୁଳ: ଅନୁଗୁଳ ସ୍ଥିତ ପର୍ଯ୍ୟବେକ୍ଷଣ ଛାତ୍ରାବାସରେ ଏକ ସାଂଘାତିକ ଘଟଣା ଘଟିଛି। କର୍ତ୍ତୃପକ୍ଷଙ୍କୁ ଚ୍ୟାଲେଞ୍ଜ ଦେଇ ଓ ସୁରକ୍ଷାକର୍ମୀଙ୍କ ଆଖିରେ ଧୂଳି ଦେଇ ଦୁଇଜଣ ପୋକସୋ (POCSO) ମାମଲାର ଅଭିଯୁକ୍ତ ନାବାଳକ ଫେରାର ହୋଇଯାଇଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ପାଚେରୀ ତଳେ ଖୋଳାଯାଇଥିବା ଏକ ଅଣଓସାରିଆ ଡ୍ରେନ୍ ଗାତ ଦେଇ ଏହି ଦୁଇ ଜଣ ଅଭିଯୁକ୍ତ ଅତି ସନ୍ତର୍ପଣରେ ଖସି ପଳାଇବାରେ ସଫଳ ହୋଇଛନ୍ତି।

ସୂଚନା ଅନୁଯାୟୀ, ଗତ ଶନିବାର ଅପରାହ୍ନରେ ଯେତେବେଳେ ପରିସର ମଧ୍ୟରେ ଖେଳକୁଦ ଓ ପ୍ରଶିକ୍ଷଣ ଚାଲିଥିଲା, ସେତେବେଳେ ଏହି ଦୁଇ ବାଳ ଅପରାଧୀ ନିଜର ପୂର୍ବ ପ୍ରସ୍ତୁତ ଯୋଜନାକୁ କାର୍ଯ୍ୟକାରୀ କରିଥିଲେ। ଦୀର୍ଘ ଦିନ ଧରି ସେମାନେ ପାଚେରୀ ତଳେ ଥିବା ସେହି ଗର୍ଭ ଉପରେ ନଜର ରଖିଥିଲେ ଏବଂ କର୍ମଚାରୀଙ୍କ ଅଗୋଚରରେ ସେହି ଗାତ ଦେଇ ଜେଲ୍ ପରିସରରୁ ବାହାରକୁ ଗଳି ପଳାଇଥିଲେ। ଫେରାର ହୋଇଥିବା ଦୁଇ ନାବାଳକଙ୍କ ମଧ୍ୟରୁ ଜଣେ କଟକ ଓ ଅନ୍ୟଜଣେ ବାଲେଶ୍ୱର ଜିଲ୍ଲାର ବୋଲି ଜଣାପଡ଼ିଛି।
ଘଟଣାଟି ଶନିବାର ଘଟିଥିଲେ ସୁଦ୍ଧା, ଦୁଇ ଦିନ ପରେ ଅର୍ଥାତ୍ ସୋମବାର ଅପରାହ୍ନରେ ପର୍ଯ୍ୟବେକ୍ଷଣ ଗୃହ କର୍ତ୍ତୃପକ୍ଷ ଏନେଇ ଥାନାରେ ଲିଖିତ ଏତଲା ଦେଇଛନ୍ତି। ଏତେ କଡ଼ା ସୁରକ୍ଷା ଓ ପ୍ରଶିକ୍ଷକଙ୍କ ଉପସ୍ଥିତି ସତ୍ତ୍ୱେ ଏହି ନାବାଳକମାନେ କିପରି ଫେରାର ହେଲେ, ତାହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି। ଏହି ଅଭିଯୋଗକୁ ଭିତ୍ତି କରି ଅନୁଗୁଳ ପୋଲିସ ଏକ ମାମଲା ରୁଜୁ କରିବା ସହ ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।

Share

Leave a Reply