ରାଣୀଗୋଡ଼ାରେ ଶୀତଳ ଷଷ୍ଠୀ ପାଳିତ: ମହାଦେବଙ୍କୁ ବିବାହ କଲେ ଆଦି ମାତା

You are currently viewing ରାଣୀଗୋଡ଼ାରେ ଶୀତଳ ଷଷ୍ଠୀ ପାଳିତ: ମହାଦେବଙ୍କୁ ବିବାହ କଲେ ଆଦି ମାତା

ଅନୁଗୁଳ: ବୁଧବାର ସହର ଉପକଣ୍ଠ ରାଣୀଗୋଡ଼ା ଗ୍ରାମର ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ମହାଦେବଙ୍କ ସହିତ ଆଦିମାତା ପାର୍ବତୀଙ୍କର ଶୁଭ ପରିଣୟର ଉନବିଂଶ ବାର୍ଷିକ ଉତ୍ସବ ଓ ଶୀତଳଷଷ୍ଠୀ ଯାତ୍ରା ମହା ଆଡ଼ମ୍ବରରେ ପାଳିତ ହୋଇଛି। ଉତ୍ସବରେ ସମସ୍ତ ରୀତିନୀତି ଅନୁସାରେ ବିଧି ପୂର୍ବକ ପୂଜା କରାଯାଇଥିଲା। ଏଥିରେ କର୍ତ୍ତା ଏବଂ କନ୍ୟା ପିତା ମାତା ଭାବରେ ନିର ସାହୁ ଓ ମମତା ସାହୁ ଏବଂ ବରପିତା ଭାବରେ ପ୍ରଭାକର ସାହୁ ବିବାହ ଉତ୍ସବ ସମାପନ କରିଥିଲେ। ସନ୍ଧ୍ୟାରେ ବରଯାତ୍ରୀଙ୍କ ସହ ଗ୍ରାମବାସୀ ଓ ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ଗହଣରେ ବାଜା ବାଣ ରୋଷଣୀର ଏକ ବିରାଟ ଶୋଭାଯାତ୍ରାରେ କନ୍ୟାପିତାଙ୍କ ଘରେ ପହଞ୍ଚିଥିଲେ।

ସେଠାରେ ଦେବଦମ୍ପତିଙ୍କ ବିବାହ କାର୍ଯ୍ୟ ସମ୍ପନ୍ନ କରାଇଥିଲା। କନ୍ୟା ପିତାଙ୍କ ଗୃହରେ ବରଯାତ୍ରୀ ଏବଂ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ବିବାହ ପରେ ଦେବଦମ୍ପତିଙ୍କ ମୃଣ୍ମୟ ପ୍ରତିମାଙ୍କୁ ଏକ ସୁସଜ୍ଜିତ ବିମାନରେ ବସାଇ ବିରାଟ ଶୋଭାଯାତ୍ରାରେ ସ୍ଵମନ୍ଦିରକୁ ପ୍ରତ୍ୟାବର୍ତ୍ତନ ପଥରେ ପ୍ରତି ଗ୍ରାମବାସୀଙ୍କ ଦାଣ୍ଡ ଦୁଆରେ ଭୋଗଲାଗି କରାଯାଇଥିଲା। ଉତ୍ସବକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଦୀର୍ଘ ତିନି ଦିନର ସାଂସ୍କୃତିକ କାର୍ଯ୍ୟକ୍ରମ ବାଦଦଣ୍ଡ ପ୍ରତିଯୋଗିତା ଅନୁଷ୍ଠିତ ହେବାର ସ୍ଥିର ହୋଇଛି। ଏଥିରେ ପ୍ରଥମ ଦିନ ବୁଧବାର ସୁଲେଇପାଳ ସହିତ ଲୋକେଇପଶି, ଗୁରୁବାର ଯୋରାଗାଡିଆ ସହିତ କାଣ୍ଡସର ଏବଂ ତୃତୀୟ ଦିନ ଶୁକ୍ରବାର ଦୁଇଦିନର ବିଜେତାଙ୍କ ସହ ଚୂଡ଼ାନ୍ତ ପ୍ରତିଯୋଗିତା ଅନୁଷ୍ଠିତ ହେବ।

Share

Leave a Reply