ଅନୁଗୁଳ: ବୁଧବାର ଅପରାହ୍ନରେ ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା(BNTYY)୨୦୨୨-୨୩ ଅନ୍ତର୍ଗତ ୩ଟି ବସ ମାଧ୍ୟମରେ ଅନୁଗୁଳ ଜିଲ୍ଲାର ମୋଟ ୧୨୫ ଜଣ ତୀର୍ଥଯାତ୍ରୀ ସମ୍ବଲପୁର ଅଭିମୁଖେ ଯାତ୍ରା କରିଛନ୍ତି। ଏହି ଯାତ୍ରାରେ ପର୍ଯ୍ୟଟନ ଅଧିକାରୀ ଜଗଦୀଶ ରାୟ, ରାଜସ୍ବ ବିଭାଗର ସହକାରୀ ସହାୟକ ସମୟ ରଞ୍ଜନ ନାହକ, ପୌରପାଳିକାର ସହକାରୀ ସହାୟକ ବିଭୂତି ମହାରଣା ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିକ୍ଷେପକ ସନ୍ତୋଷ କୁମାର ବିଶ୍ବାଳ ପ୍ରମୁଖ ଏସକର୍ଟ ଅଫିସର ଭାବେ ଗସ୍ତ କରିଛନ୍ତି।
ଏହି ତୀର୍ଥଯାତ୍ରୀମାନେ ଗୁରୁବାର ସମ୍ବଲପୁରରୁ ସିରିଡି ଓ ନାସିକ ଅଭିମୁଖେ ଯାତ୍ରା କରିବେ। ଏହି ଯାତ୍ରାକୁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଓ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଲଳିତ ମୋହନ ବେହେରା ପତାକା ଦେଖାଇ ଆରମ୍ଭ କରିଥିଲେ। ଏ ଅବସରରେ ସମସ୍ତ ଯାତ୍ରୀଙ୍କୁ ସେ ଗୋଲାପ ଫୁଲ ଦେଇ ଶୁଭକାମନା ଜଣାଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଅନୁଗୁଳ ଉପଜିଲ୍ଲାପାଳ ବଇତୁରା ଦିପ୍, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଜିଲ୍ଲା ସଂସ୍କୃତି ଅଧିକାରୀ ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।