ନୂଆ ପ୍ଲାଣ୍ଟରେ ପୁରୁଣା ଶ୍ରମିକଙ୍କୁ ନିଯୁକ୍ତି ନ ଦେବାକୁ ବିରୋଧ, ଆସନ୍ତା ୨ ରେ ଧାରଣା ଦେବ ଶିଳ୍ପନଗର ଠିକା ଶ୍ରମିକ ସଂଘ
ତାଳଚେର: ଆସନ୍ତା ୨ ତାରିଖରେ ତାଳଚେର ସହର ୱାର୍ଡରେ ଥିବା ପ୍ଲାଣ୍ଟ ପମ୍ପ ହାଉସ ସମ୍ମୁଖରେ ଧାରଣା ଦେବାକୁ ଠିକା ଶ୍ରମିକ ସଂଘର କର୍ମକର୍ତ୍ତା ନିଷ୍ପତ୍ତି ନେଇଛନ୍ତି। ତାଳଚେର ଥର୍ମାଲ ପ୍ଲାଣ୍ଟ କର୍ତ୍ତୃପକ୍ଷଙ୍କ ଆଞ୍ଚଳିକ ମନୋଭାବ ଯୋଗୁଁ ନୂତନ ପ୍ଲାଣ୍ଟରେ ନିଯୁକ୍ତି ସୁଯୋଗରୁ ସ୍ଥାନୀୟ ଲୋକେ ବଞ୍ଚିତ ହେଉଛନ୍ତି। ଏହାକୁ ବିରୋଧ କରି ଏହି ଧାରଣା ଦିଆଯିବ।
ଏ ଅବସରରେ ରବିବାର ସ୍ଥାନୀୟ ଚିତ୍ରକୁଟ ମନ୍ଦିର ପ୍ରାଙ୍ଗଣରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ସଂଘର ସଭାପତି ଲିପିକା ବେହେରାଙ୍କ ନିର୍ଦ୍ଦେଶକ୍ରମେ ବୈଠକରେ ସମାଜ ସେବୀ ବାବୁନି ସ୍ୱାଇଁ ସଭାପତିତ୍ବ କରି ନିଯୁକ୍ତି ସୁଯୋଗ ନ ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ନିଷ୍ପତ୍ତି ନେଇଥିଲେ।
ଥର୍ମାଲ ପୁରୁଣା ପ୍ଲାଣ୍ଟରେ ଦୀର୍ଘ ବର୍ଷ ଧରି କାମ କରିବା ପରେ ସେମାନଙ୍କୁ ନୂତନ ପ୍ଲାଣ୍ଟରେ ନିଯୁକ୍ତି ନ ଦେଇ କେବଳ ପଞ୍ଚାୟତ ଠିକା ଶ୍ରମିକଙ୍କୁ ନିଯୁକ୍ତି ଦେବା ଠିକ ନୁହେଁ ବୋଲି ବୈଠକରେ ମତପ୍ରକାଶ ପାଇଥିଲା। ଏହାର ପରିଣାମ ଭୟଙ୍କର ହେବ ବୋଲି ସଂଘ ଚେତାବନୀ ଦେଇଛି।