ସ୍ମାର୍ଟ ଚୋର ! ଦେହ ଭଲ ହୋଇଯିବ କହି ମହିଳାଙ୍କୁ ନିଜ ହାତରେ ଖୋଲାଇଲେ ଗହଣା, ଆଖି ବୁଜୁ ବୁଜୁ ଧରି ସବୁ ନେଇ ଚମ୍ପଟ ମାରିଲେ ଲୁଟେରା

You are currently viewing ସ୍ମାର୍ଟ ଚୋର ! ଦେହ ଭଲ ହୋଇଯିବ କହି ମହିଳାଙ୍କୁ ନିଜ ହାତରେ ଖୋଲାଇଲେ ଗହଣା, ଆଖି ବୁଜୁ ବୁଜୁ ଧରି ସବୁ ନେଇ ଚମ୍ପଟ ମାରିଲେ ଲୁଟେରା

ଅନୁଗୁଳ: ଅନୁଗୁଳ ସହରରେ ଦିନ ଦ୍ବିପହରେ ଲୁଟ ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି। ସୋମବାର କାଞ୍ଚନ ଟକିଜ ଛକ ଠାରୁ ବସଷ୍ଟାଣ୍ଡ ରାସ୍ତାରେ ଜଣେ ମହିଳାଙ୍କୁ ଲୁଟ ହୋଇଥିବା ଅଭିଯୋଗ ହୋଇଛି। ମହିଳାଙ୍କ ଠାରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ଟଙ୍କା ଲୁଟ ହୋଇଥିବା ନେଇ ସେ ଆଠମଲ୍ଲିକ ଥାନାରେ ଅଭିଯୋଗ କରିଛନ୍ତି। ୨ ଜଣ ଅଣ ଓଡ଼ିଆ ଠକ ତାଙ୍କୁ ଠକିଥିବା ନେଇ ସେ ଅଭିଯୋଗ କରିଛନ୍ତି।

ପୋଲିସ ସୂଚନା ମୁତାବକ, ଆଠମଲ୍ଲିକ ଅଞ୍ଚଳର ରସାନନ୍ଦ ସାହୁଙ୍କ ପତ୍ନୀ ଗୀତାଞ୍ଜଳି ସୋମବାର ସକାଳେ ଶିମିଳିପଡା ମା ଭୈରବୀ ଔଷଧ ଦୋକାନରେ ବସୁଥିବା ଜଣେ ଚର୍ମରୋଗ ବିଶେଷଜ୍ଞଙ୍କ ନିକଟକୁ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ପାଇଁ ଆସିଥିଲା। ଡାକ୍ତର ଦେଖାଇ ସାରି ଚାଲି ଚାଲି ଫେରୁଥିବା ବେଳେ ୨ ଜଣ ଯୁବକ କାଞ୍ଚନ ଟକିଜ ଆଡୁ ତାଙ୍କ ସାଙ୍ଗରେ ଚାଲି ଚାଲି ଆସିଲେ ଓ ହିନ୍ଦୀରେ ତାଙ୍କ ସହ କଥା ହେଲେ। ଇତି ମଧ୍ୟରେ ସେମାନେ ମହିଳାଙ୍କ ଦେହ ଠାକୁରାଣୀଙ୍କ କୋପରୁ ଖରାପ ହେଉଛି। ତେଣୁ ସେ ଲକ୍ଷ୍ମୀ ମା ଓ କାଳୀ ମାଙ୍କୁ ସ୍ମରଣ କଲେ ସେ ସବୁ ଦୂର ହେବ ଏବଂ ଘରେ ଧନଲକ୍ଷ୍ମୀ ବୃଦ୍ଧି ହେବ ବୋଲି କହିଥିଲେ। ସେଥିପାଇଁ ତାଙ୍କୁ ପିନ୍ଧିଥିବା ସୁନା ଗହଣାକୁ ଦେହରୁ ଖୋଲି ହାତରେ ଧରି ଆଖି ବନ୍ଦ କରି ୫୧ ଫୁଟ ଚାଲିବାକୁ ପଡ଼ିବ ବୋଲି ମଧ୍ୟ କହିଥିଲେ।

ମହିଳା ସେମାନଙ୍କୁ ବିଶ୍ୱାସ କରି ପିନ୍ଧିଥିବା କାନ ଫୁଲ, ହାତ ମୁଦି, ମଙ୍ଗଳ ସୂତ୍ର ଓ ସୁନା ଚେନ ଦେହରୁ ଖୋଲି ଯୁବକଙ୍କୁ ଦେଇଥିଲେ। ଯୁବକ ଜଣକ ପୁଡିଆ କରି ତାହାକୁ ମହିଳାଙ୍କ ହାତରେ ଦେଇଥିଲେ। ଏହାପରେ ମହିଳା ଆଖିବନ୍ଦ କରି ୫୧ ଫୁଟ ଚାଲି ଆଖି ଖୋଲିବା ବେଳକୁ ଯୁବକ ୨ ଜଣ ସେଠୁ ଉଭାନ ହୋଇଯାଇଥିଲେ। ମହିଳା ହାତରେ ଧରିଥିବା ପୁଡିଆ ଖୋଲିବା ବେଳକୁ ସେଥିରେ ସୁନା ଅଳଙ୍କାର ଓ ଟଙ୍କା ନଥିଲା। ଏନେଇ ସେ ଫୋନ ଯୋଗେ ସ୍ୱାମୀକୁ କହିବା ପରେ ସନ୍ଧ୍ୟାରେ ସ୍ୱାମୀ ରସାନନ୍ଦ ଅନୁଗୁଳରେ ପହଞ୍ଚି ଥାନାରେ ମହିଳା ଅଭିଯୋଗ କରିଛନ୍ତି।

ଏତଲା ପାଇ ପୋଲିସ ସହର ତଲାସୀ କରିଥିଲେ ମଧ୍ୟ ଉଭୟଙ୍କୁ ଠାବ କରିପାରି ନାହିଁ। ଏବେ ପୋଲିସ ସିସିଟିଭି ଆଧାରରେ ତଦନ୍ତ କରୁଛି। ତେବେ ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

Share

Leave a Reply