ଅନୁଗୁଳ: ଦୁନିଆ ଯେତେ ଆଗକୁ ଗଲେ ବି ଏବେ ବି ଅନ୍ଧ ବିଶ୍ୱାସ ଲୋକଙ୍କ ପିଛା ଛାଡ଼ୁନି। ବର୍ତ୍ତମାନର ଆଧୁନିକ ଯୁଗରେ ମଧ୍ୟ ଲୋକମାନେ ଗୁଣି ଗାରେଡ଼ିକୁ ବିଶ୍ୱାସ କରୁଛନ୍ତି। କୌଣସି ଉପାନ୍ତ ଅଞ୍ଚଳ ନୁହେଁ, ବରଂ ଅନୁଗୁଳରେ ପ୍ରାୟତଃ ଏଭଳି ଘଟଣା ସାମ୍ନାକୁ ଆସୁଛି। ଏଣୁ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ସାମାଜିକ ଅନୁଷ୍ଠାନ “ସାଥୀ ପରିବାର” ତରଫରୁ ବୁଧବାର ଟିକରପଡ଼ା ଗାଁରେ ସାପ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଛି।
ଏ ଅବସରରେ ଅନୁଷ୍ଠାନର ସଦସ୍ୟ ତଥା ସର୍ପମିତ୍ର ଆଦିତ୍ୟ ବେହେରା ଯୋଗ ଦେଇ ବିଷଧର ଓ ବିଷହୀନ ସାପ ଚିହ୍ନଟ, ସାପ କାମୁଡିବାର ବିଭିନ୍ନ କାରଣ ଓ ନିରାକରଣ ସମ୍ବନ୍ଧରେ ଗ୍ରାମବାସୀଙ୍କୁ ସଚେତନ କରାଇଥିଲେ। ଏଥିସହ ସର୍ପ ଦଂଶନ ପରେ କି କି ପଦକ୍ଷେପ ନେବା ଉଚିତ ସେ ନେଇ ଆଲୋଚନା କରିଥିଲେ। ସାପ କାମୁଡ଼ିଲେ ଗୁଣି ଗାରେଡିରେ ବିଶ୍ବାସ ନକରି କି ମନ୍ଦିରରେ ଅଧିଆ ପଡିବାରେ ବିଳମ୍ବ ନକରି ତୁରନ୍ତ ସାପ ବିଷ ନିରୋଧକ ଔଷଧ ଥିବା ନିକଟସ୍ଥ ଡାକ୍ତରଖାନାକୁ ଯିବା ପାଇଁ ସେ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଟିକରପଡା ସରପଞ୍ଚ ସୌମ୍ୟରଞ୍ଜନ ସାହୁ, ଆଶା କର୍ମୀ ମାମିଲତା ସାହୁ, ବନପାଳ ଡିଲେଶ୍ବର ନାୟକ, ବନ କର୍ମଚାରୀ ଲକ୍ଷ୍ମଣ ମିର୍ଦ୍ଧା, ସାଥୀ ପରିବାର ସଦସ୍ୟ ଦିଲ୍ଲୀପ କୁମାର ସାହୁ, ସର୍ପଉଦ୍ଧାରକାରୀ ବିଜୁ ଭୋଇ ଓ ପିଣ୍ଟୁ ବେହେରା ପ୍ରମୁଖ ଯୋଗ ଦେଇଥିଲେ।











