ଅନୁଗୁଳ: ସ୍ଥାନୀୟ ଛେଣ୍ଡିପଦା ବ୍ଲକ ଚାଖୁଣ୍ଡାପାଳ ରାସ୍ତାରେ ଭ୍ରାମ୍ୟମାଣ ଚିକିତ୍ସା ଗାଡ଼ିରେ ଏକ ନାଗସାପ ପଶି ରହିବାରୁ ୨ ଘଣ୍ଟା ଯାଏଁ ସେବା ବ୍ୟାହତ ହୋଇଛି। ବହୁ କଷ୍ଟରେ ସାପକୁ ଗାଡ଼ିରୁ ବାହାର କରାଯାଇ ଜଙ୍ଗଲରେ ଛଡ଼ାଯାଇଛି।
ସୂଚନା ମୁତାବକ, ଭ୍ରାମ୍ୟମାଣ ଚିକିତ୍ସା ଗାଡ଼ି ବରପଦା ଗ୍ରାମକୁ ଯାଇ ଫେରିବା ସମୟରେ ଚାଖୁଣ୍ଡାପାଳ ରାସ୍ତାରେ ସାପ ଯିବା ଦେଖି ଡ୍ରାଇଭର ଗାଡି ଅଟକାଇଥିଲେ। କିନ୍ତୁ ସାପ ଗାଡି ତଳପଟେ ଇଞ୍ଜିନ ଭିତରକୁ ପଶି ଯାଇଥିଲା। ଇଞ୍ଜିନ ମଧ୍ୟରେ ସାପ ଫଁ ଫଁ ହେଉଥିବା ଦେଖି ସ୍ଥାନୀୟ ଅଞ୍ଚଳର ସର୍ପ ମିତ୍ର ପୃଥ୍ୱୀରାଜ ଗଡନାୟକ ଓ ଆଦିତ୍ୟ ଦାସଙ୍କୁ ଡକାଯାଇଥିଲା। ସେମାନେ ପ୍ରାୟ ୨ ଘଣ୍ଟା ପରିଶ୍ରମ କରିବା ପରେ ନାଗକୁ ଉଦ୍ଧାର କରିଛନ୍ତି। ସାପର ଲମ୍ବ ୬ ଫୁଟ ହେବ ବୋଲି ଅନୁମାନ କରାଯାଇଛି। ପରେ ସର୍ପମିତ୍ର ଓ ଫରେଷ୍ଟର ସାପକୁ ଜଙ୍ଗଲରେ ଛାଡ଼ିଥିବା ଜଣାଯାଇଛି।