ଅନୁଗୁଳ: ହାତୀଙ୍କ ଗତିପଥରେ ବାଧକ ସାଜୁଛି ସୋଲାର ବିଦ୍ୟୁତ ବାଡ଼। ଏହାକୁ ପାର କରି ଆଗକୁ ଯିବାକୁ ହାତୀ ମାନେ ସାହସ କରୁନଥିବା ବେଳେ ଆଗକୁ ଯିବାକୁ ବାଟ ପାଉନାହଁନ୍ତି। ଶେଷରେ ବିରକ୍ତି ହୋଇ ଗ୍ରାମାଞ୍ଚଳରେ ପଶିବା ସହ ଧନଜୀବନ ନଷ୍ଟ କରୁଛନ୍ତି। ଏଭଳି କିଛି ଦୃଶ୍ୟ ଆଜି ମଧ୍ୟାହ୍ନ ସମୟରେ ଦେଖିବାକୁ ମିଳିଥିଲା।
ଶାବଳଭଙ୍ଗା ଅଞ୍ଚଳରେ ଏକ ହାତୀଦଳ ରାସ୍ତା ପାର ହେଉଥିବା ବେଳେ ରାସ୍ତାର ଦୁଇ ପାର୍ଶ୍ଵରେ ଶହଶହ ଲୋକ ଛିଡା ହୋଇ ହାତୀକୁ ଦେଖୁଥିଲେ। କିଛିଲୋକ ଟେକା ପଥର ଫୋପାଡିବା ସହ କେହି ବାଣ, ନିଆଁ ଲଗାଇ ଘଉଡାଉଥିଲେ। ହେଲେ ହାତୀ ଯିବାକୁ ବାଟ ନାହିଁ। ହାତୀଦଳର ଦଳପତି ଆଗରେ ଶୁଣ୍ଢକୁ ଟେକି ବିପଦର ସଂକେତ ପାଇ ପଛଘୁଞ୍ଚା ଦେଲା। ଦଳରେ ନିଜର ପରିବାର ସହ ଛୋଟ ଶାବକ କିଛି ରହିଥିଲେ। ଏଭଳି ସ୍ଥିତରେ ରାସ୍ତାର ଦୁଇ ପାର୍ଶ୍ଵରେ ଜନ ସମାଗମ ଏବଂ ସାମ୍ନାରେ ବିଦ୍ୟୁତ ବାଡ଼। ତେବେ ନିଜ ପରିବାରକୁ ନେଇ ହାତୀ ଦଳ କେଉଁ ଆଡକୁ ଯିବେ ବୋଲି ବାଟ ପାଇନଥିଲେ। ଦୀର୍ଘ ସମୟ ଧରି ରାସ୍ତାରୁ ତଳକୁ ପୁଣି ରାସ୍ତା ଉପରକୁ ହେବା ପରେ ଏକ ଧାନ ବିଲ ଦେଇ ହାତୀ ପାର ହୋଇଥିଲା।
ତେବେ ଏହି କଥା ଉଠୁଛି ଯେ ହାତୀ ଏକ ଜଙ୍ଗଲୀ ଜନ୍ତୁ ହୋଇଥିବା ବେଳେ ଏମାନଙ୍କ ଗତିପଥ ବର୍ଷବର୍ଷ ଧରି ଗୋଟିଏ ନିର୍ଦ୍ଦିଷ୍ଟ ରାସ୍ତା କୁ ହିଁ ବାଛିଥାନ୍ତି। ଯେବେ ଉକ୍ତ ରାସ୍ତା ବିଭିନ୍ନ କାରଣରୁ ଅବରୋଧ ହୋଇଥାଏ। ତେବେ ସେମାନେ ଶେଷରେ ବିରକ୍ତି ଭାବ ପ୍ରକାଶ କରି ଜନବସତିରେ ପଶିବା ସହ ଧନଜୀବନ କ୍ଷତି କରୁଛନ୍ତି। ମଙ୍ଗଳବାର୍ କିଛି ଏଭଳି ଚିତ୍ର ଦେଖାଯାଇଥିବା ବେଳେ ହାତୀଙ୍କ ସୁରକ୍ଷା ଏବଂ ଲୋକଙ୍କ ମଧ୍ୟରେ ସଚେତନତା ନେଇ ପ୍ରଶ୍ନବାଚୀ ଉଠିଛି।



