କଟକ: ଏଣିକି ସବୁ ସିନେମା ହଲରେ ଦିବ୍ୟାଙ୍ଗଙ୍କ ପାଇଁ କରାଯିବ ସ୍ୱତନ୍ତ୍ର ବ୍ୟବସ୍ଥା। ଏ ନେଇ ଭାରତ ସରକାରଙ୍କ ସୁଗମ୍ୟ ଭାରତ ଅଭିଯାନରେ ଦିବ୍ୟାଙ୍ଗଙ୍କ ପାଇଁ ସିନେମା ହଲରେ ସିନେମା ପ୍ରଦର୍ଶନର ମାର୍ଗଦର୍ଶିକା ଜାରି କରାଯାଇଛି। ଏହାକୁ ନେଇ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣ ବୋର୍ଡ ପକ୍ଷରୁ କଟକ ଆଞ୍ଚଳିକ ଅଧିକାରୀ ତଥା ପିଆଇବି ଓ ସିବିସିର ନିର୍ଦ୍ଦେଶକ ଡକ୍ଟର ଗିରିଶ ଚନ୍ଦ୍ର ଦାଶଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି ।
ଏହି ମାର୍ଗଦର୍ଶିକା ପ୍ରାରମ୍ଭିକ ପର୍ଯ୍ୟାୟରେ ଏକାଧିକ ଭାଷାରେ ନିର୍ମିତ ସିନେମାଗୁଡ଼ିକ ପାଇଁ ୧୫ ସେପ୍ଟେମ୍ବରରୁ ଲାଗୁ ହେବ। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଚଳଚ୍ଚିତ୍ର ମହୋତ୍ସବରେ ଅଂଶଗ୍ରହଣ କରୁଥିବା ଫିଚର ଫିଲ୍ମଗୁଡିକ ୧ ଜାନୁଆରି ୨୦୨୫ରୁ ଭିନ୍ନକ୍ଷମ ସୁଗମତା ମାନକ ହାସଲ କରିବାକୁ ବାଧ୍ୟ। ଏହା ବ୍ୟତୀତ ୨୦୨୬, ମାର୍ଚ୍ଚ ୧୫ ତାରିଖ ସୁଦ୍ଧା ପ୍ରେକ୍ଷାଳୟରେ ପ୍ରଦର୍ଶିତ ହେବାକୁ ଥିବା ସମସ୍ତ ଚଳଚ୍ଚିତ୍ର, ଟିଜର ଓ ଟ୍ରେଲର୍ଗୁଡିକରେ ଶ୍ରବଣ ଓ ଦୃଷ୍ଟିବାଧିତଙ୍କ ପାଇଁ ସ୍ବତନ୍ତ୍ର ସୁବିଧା କରିବା ବାଧ୍ୟତାମୂଳକ। କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣ ବୋର୍ଡ (ସିବିଏଫସି) ଦ୍ୱାରା ପ୍ରମାଣିତ ଚଳଚ୍ଚିତ୍ରଗୁଡ଼ିକ ପାଇଁ ମଧ୍ୟ ଏହି ନିର୍ଦ୍ଦେଶାବଳୀ ଲାଗୁ ହେବ ବୋଲି ସୂଚନା ଦିଆଯାଇଛି।
ପ୍ରକାଶ ଯେ ଭାରତ ସ୍ବାକ୍ଷର କରିଥିବା ମିଳିତ ଜାତିସଂଘ ଦିବ୍ୟାଙ୍ଗଜନ ଅଧିକାର ସନନ୍ଦ ଅନୁଯାୟୀ, ସିନେମା ପ୍ରଦର୍ଶନରେ ମଧ୍ୟ ଦିବ୍ୟାଙ୍ଗଙ୍କ ପାଇଁ ସ୍ବତନ୍ତ୍ର ଓ ସହଜ ବ୍ୟବସ୍ଥା ସୃଷ୍ଟି କରିବା ବାଧ୍ୟତାମୂଳକ। ବିଶେଷ କରି ଦୃଷ୍ଟି ବାଧିତ ଓ ଶ୍ରବଣ ବାଧିତ ବ୍ୟକ୍ତିଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବା ଆବଶ୍ୟକ।