ଅନୁଗୁଳ ଗସ୍ତରେ ରାଜ୍ୟ ବିଜେପି ଉପସଭାନେତ୍ରୀ ପ୍ରଭାତୀ ପରିଡ଼ା: ମୋଦିଙ୍କ ଯୋଜନାକୁ ସବୁ ଘରେ ପହଞ୍ଚାଇବା ଉପରେ ଗୁରୁତ୍ୱ
ଅନୁଗୁଳ: ବିଜେପିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସ୍ଥାନୀୟ ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି। ବିଜେପି ଜିଲ୍ଲା ସଭାପତି ଡିଲେଶ୍ଵର ପ୍ରଧାନଙ୍କ ଅଧ୍ୟକ୍ଷତା ଆୟୋଜିତ ଏହି ବୈଠକରେ ରାଜ୍ୟ ବିଜେପି ଉପସଭାନେତ୍ରୀ ପ୍ରଭାତୀ ପରିଡା ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜିଲ୍ଲାର ବିକାଶ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି କହିଥିଲେ।
ପ୍ରଭାତୀ ପରିଡ଼ାଙ୍କ କହିବାନୁସାରେ, ପ୍ରଧାନମନ୍ତ୍ରୀ ମୋଦି ଅନୁଗୁଳ ଜିଲ୍ଲାର ଉନ୍ନତି ପାଇଁ ଡିଏମ୍ଏଫ୍ ଫଣ୍ଡ ଗଠନ କରି ବାର୍ଷିକ ହଜାରେ କୋଟି ଟଙ୍କାରୁ ଅଧିକ ଅର୍ଥର ବ୍ୟବସ୍ଥା କରିଛନ୍ତି। ଜିଲ୍ଲାରେ ସାର କାରଖାନା ପାଇଁ ତେର ହଜାର କୋଟି, ଥର୍ମାଲ ପାଇଁ ଦଶ ହଜାର କୋଟି, ରାଜପଥ ପାଇଁ ହଜାର ହଜାର କୋଟି ଟଙ୍କା ଦେଇଛନ୍ତି। ଏଥିସହ ତାଳଚେରରେ ଏବେ ଦୁଇଟି ସେଣ୍ଟ୍ରାଲ ସ୍କୁଲ ପ୍ରତିଷ୍ଠା ହୋଇଛି। ଜିଲ୍ଲାରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ପାଇଁ ତାଳଚେରରେ ମେଡିକାଲ କଲେଜ ପ୍ରତିଷ୍ଠା କରାଯାଇଛି। ଜିଲ୍ଲାରେ ସମସ୍ତ ଉନ୍ନତିମୂଳକ କାମ ପ୍ରଧାନମନ୍ତ୍ରୀ କରାଉଛନ୍ତି ବୋଲି କହିଥିଲେ ପ୍ରଭାତୀ।
କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି, ପ୍ରତାପ ଚନ୍ଦ୍ର ପ୍ରଧାନ, ଅଗସ୍ତି ବେହେରା, ପ୍ରତିମା ମିଶ୍ର, ରାଜ୍ୟ ମହିଳା ମୋର୍ଚ୍ଚା ଉପ ସଭାନେତ୍ରୀ ନିରୋଜା ନଳିନୀ ଦାସ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରକାଶ ମହାରଣା, ସୁଦୀପ ଗଡ଼ନାୟକ, ବରିଷ୍ଠ ନେତା ଯଯାତି ପଟ୍ଟନାୟକ, ଦିଲ୍ଲୀପ ପ୍ରଧାନ, ନୃସିଂହ ବରାଳ, ଅମୀୟ ତ୍ରିପାଠୀ, ବସନ୍ତ ମଞ୍ଜରୀ ପ୍ରଧାନ, ପ୍ରଶାନ୍ତ ନନ୍ଦ, ମିଡ଼ିଆ ସେଲ ଅଧ୍ୟକ୍ଷ ପର୍ଶୁରାମ ବାରିକଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।