ଅନୁଗୁଳ: ତାଳଚେରରୁ ଚୋରି ହୋଇଥିବା ଦୁଇଟି ଟ୍ରକ୍କୁ ପୁଲିସ ଉଦ୍ଧାର କରିବା ସହ ଏଥିରେ ସଂପୃକ୍ତ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପ୍ରକାଶ ଯେ, ଗତ ଅପ୍ରେଲ ୧୨ ତାରିଖ ରାତି ପ୍ରାୟ ୮ଟା ବେଳେ ଲିଙ୍ଗରାଜ ରୋଡ୍ରେ ଗାଡ଼ି (ଓଆର୧୯ସି ୪୬୩୩ ) ରଖି ଡ୍ରାଇଭର ହୋଟେଲ୍କୁ ଖାଇବାକୁ ଯାଇଥିଲେ । ଫେରିବା ପରେ ଟ୍ରକ୍ଟି ଚୋରି ହୋଇଥିବା ଜାଣିବାକୁ ପାଇଥିଲେ । ଡ୍ରାଇଭର ଗାଡ଼ି ମାଲିକ ବିଜୟ କୁମାର ଦାସଙ୍କୁ ଏ ସମ୍ପର୍କରେ ଜଣାଇବା ପରେ ପୁଲିସ କେସ୍ ରୁଜୁ କରି ତଦନ୍ତ ଚଳାଇଥିଲା ।ସେହିପରି ଗତ ୨୮ ତାରିଖ ସଂଧ୍ୟାରେ ପବିତ୍ର ମୋହନ ଛକ ନିକଟରୁ ଏକ ଟ୍ରକ୍ (ଓଆର୦୯ଜି ୯୨୧୧) ଚୋରି ହେବା ନେଇ ପୁଲିସ ନିକଟରେ ଅଭିଯୋଗ ହୋଇଥିଲା। ଗାଡ଼ି ମାଲିକ ଉମାକାନ୍ତ ନାୟକଙ୍କ ଲିଖତ ଅଭିଯୋଗ ଉପରେ ପୁଲିସ କେସ୍ ରୁଜୁ କରି ତଲାସି ଚଳାଇଥିଲା।ତାଳଚେର ଥାନାର ଭାରପ୍ରାପ୍ତ ଅଧିକାରୀ ସତ୍ୟବ୍ରତ ରାଉତ, ଏସ୍ଇ ମନୋହର ପାତ୍ର, ବିପ୍ଳବ ସାହୁଙ୍କୁ ନେଇ ଏକାଧିକ ପୁଲିସ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୁଲିସ ସୁବର୍ଣ୍ଣପୁର ବାଙ୍କି ଅଞ୍ଚଳର ସୌମ୍ୟରଞ୍ଜନ ସେଠୀ ଓରଫ ପିଙ୍କୁ, ବେନ୍ତପୁର ଗ୍ରାମର ସୁଭାଶିଷ ସେଠ ଓରଫ କରନ, ଯାଜପୁର ଖଣ୍ଡହତା ଗ୍ରାମର ବିକାଶ ଜେନା ଓରଫ ଟେରୁ, ଯାଜପୁର ଶ୍ରୀବନ୍ତପୁର ଗ୍ରାମର ମହେନ୍ଦ୍ର ପତିହାରି ଓରଫ ବାୟା ଓ ହାଣ୍ଡିଧୂଆ ଗ୍ରାମର ସନ୍ତୋଷ କୁମାର ଦାସଙ୍କୁ ଧରିବା ପରେ ସେମାନଙ୍କୁ ପଚରାଉଚରା ଚଳାଇଥିଲେ। ସେମାନଙ୍କଠାରୁ ମିଳିଥିବା ସୂଚନା ଆଧାରରେ ପୁଲିସ ଦୁଇଟି ଯାକ ଚୋରି ଟ୍ରକ୍ ଉଦ୍ଧାର କରିବାରେ ସଫଳ ହୋଇଥିଲା। ପୁଲିସ ଆଜି ୫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି । ଟ୍ରକ୍ ଚୋରି ନେଇ ପୁଲିସ ଅଧିକ ଖୋଳତାଡ଼ ଚଳାଇଛି ।
ଚୋରି ଟ୍ରକ୍ ଉଦ୍ଧାର ; ୫ ଗିରଫ
- Post published:June 11, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
