ଅନୁଗୁଳ: ଅନୁଗୁଳରେ ପ୍ରହସନ ପାଲଟିଛି ଛାତ୍ରଙ୍କ ସୁରକ୍ଷା। ଏଠାରେ ବିଦ୍ୟାଳୟ ଛାତ ଉପରେ ଥିବା ପାଣିଟାଙ୍କିରେ ପଶି ଛାତ୍ରମାନେ ସଫା କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନା ମୁତାବକ, ଅନୁଗୁଳ ବ୍ଲକ ଅନ୍ତର୍ଗତ ଅଙ୍ଗାରବନ୍ଧ ଉଚ୍ଚ ବିଦ୍ୟାଳୟର ପାଣିଟାଙ୍କି ଭିତରେ ପଶି କିଛି ଛାତ୍ର ସଫେଇ କରିଥିବା ଅଭିଯୋଗ ହୋଇଛି। ଗତ ୨୪ ତାରିଖ ଅପରାହ୍ନ ସାଢ଼େ ୩ଟା ସମୟରେ ବିଦ୍ୟାଳୟ କୋଠାର ଛାତ ଉପରେ ୩ଜଣ ଛାତ୍ର ଚଢ଼ିଥିବା ଦେଖାଯାଇଥିଲା। ପରେ ଏହି ଛାତ ଉପରେ ଥିବା ଏକ ନିବୁଜ ପାଣି ଟାଙ୍କି ଉପରକୁ ୩ଛାତ୍ର ଚଢିଥିଲେ। ତଳେ ସେମାନଙ୍କୁ କେହି ପରାମର୍ଶ ଦେଉଥିବା ଦେଖାଯାଇଥିଲା। ପାଣି ଟାଙ୍କିର ମୁହଁ ଖୋଲିବା ସହ ଏହା ଭିତରକୁ ଜଣେ ଛାତ୍ର ସମ୍ପୂର୍ଣ୍ଣ ପଶୁଥିବା ଦେଖାଯାଇଥିଲା। ଟାଙ୍କି ଉପରେ ଦୁଇଜଣ ଛାତ୍ର ବସି ଏହି ଛାତ୍ରଙ୍କ ହାତକୁ ଧରିଥିଲେ। ପିଲାମାନେ ଟାଙ୍କି ଭିତରକୁ ପଶି ସଫେଇ କାର୍ଯ୍ୟ କରିଥିଲେ। ପ୍ରାୟ ୬ ଫୁଟ ଉଚ୍ଚର ଏହି ଟାଙ୍କି ଉପରକୁ ଛାତ୍ର ମାନେ ଚଢ଼ିବା ସହ ସଫା କରିଥିଲେ, ଯାହାକୁ ନେଇ ଏବେ ପ୍ରଶ୍ନ ଉଠୁଛି। ବିଦ୍ୟାଳୟ ପାଠପଢା ସମୟରେ ଛାତ୍ର ମାନେ ଶ୍ରେଣୀ ଗୃହରୁ ବାହାରକୁ କିପରି ଆସିଲେ। ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଏ ନେଇ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଦୀପକ କୁମାର ସାହୁଙ୍କୁ ପଚାରିବାରୁ ସେ କଥାକୁ ହାଲୁକା ଭାବେ ନେଇ ଏଡାଇ ଦେଇଛନ୍ତି। ତାଙ୍କ କହିବା ମୁତାବକ, ପିଲାମାନେ ଛାତ ଉପରକୁ ଚଢ଼ିଥିଲେ। ସଫା କରିବା ଘଟଣା ମୁଁ ଜାଣିନାହିଁ ବୋଲି କହିଛନ୍ତି।