ଅନୁଗୁଳ: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଥିବା ଯୋଗାଣ ନିରୀକ୍ଷକଙ୍କୁ ୪ ବର୍ଷ କାରାଦଣ୍ଡ। ସୋମବାର ଅନୁଗୁଳ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଯୋଗାଣ ନିରୀକ୍ଷକ ବବିଲତା ବେହେରାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୪ ବର୍ଷ କାରାଦଣ୍ଡ ସହ ୨୫ ହଜାର ଟଙ୍କା ଜରିମାନା , ଜରିମାନା ଅନାଦେୟ ଅଧିକ ୩ ମାସ ଜେଲ ଦଣ୍ଡାଦେଶ ଦେଇଛନ୍ତି।
ସୂଚନା ମୁତାବକ, ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ପୋଲରମୁଣ୍ଡା ଗ୍ରାମର ନିରୋଦ କୁମାର ସାହୁ ନାମକ କଣ୍ଟ୍ରୋଲ ଦୋକାନୀ ଠାରୁ ୨୦୧୪ ମସିହାରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଯୋଗାଣ ନିରୀକ୍ଷକ ବବିଲତା ବେହେରା ଧରା ପଡ଼ିଥିଲେ। ନିରୋଦ ସାହୁ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ କି ୬୪ ହଜାର ଲିଟର କିରୋସିନି ବିଲ ପାସ ପାଇଁ ଯୋଗାଣ ନିରୀକ୍ଷକ ବବିଲତା ବେହେରା ୪୩ ହଜାର ଟଙ୍କା ଲାଞ୍ଚ ଦାବି କରିଛନ୍ତି ।
ଏଥିପାଇଁ ୩୦ ଏପ୍ରିଲରେ ବବିଲତାଙ୍କୁ ସେ ୪୩ ହଜାର ଟଙ୍କା ଲାଞ୍ଚ ଦେଇଥିଲେ । ଲାଞ୍ଚ ଟଙ୍କା ନିଜ ଭ୍ୟାନିଟି ବ୍ୟାଗ୍ ରେ ରଖିଥିବା ବେଳେ ଭିଜିଲାନ୍ସ ଚଢାଉ କରି ବବିଲତାଙ୍କୁ ଗିରଫ କରି ତାଙ୍କ ନାମରେ ମାମଲା ରୁଜୁ କରିଥିଲେ। ଏହି ମାମଲାରେ ସୋମବାର ଅନୁଗୁଳ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଦଣ୍ଡାଦେଶ ଦେଇଛନ୍ତି। ମାମଲାକୁ ପିପି ଅଶ୍ୱିନ କୁମାର ପରିଚାଳନା କରିଥିଲେ।