୨୩ ତମ ତାଳଚେର ପୁସ୍ତକ ମେଳା-୨୦୨୬ ଉଦଘାଟିତ

You are currently viewing ୨୩ ତମ ତାଳଚେର ପୁସ୍ତକ ମେଳା-୨୦୨୬ ଉଦଘାଟିତ

ଅନୁଗୁଳ: ପବିତ୍ର ସରସ୍ୱତୀ ପୂଜା, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଅବସରରେ ୨୩ ତମ ତାଳଚେର ପୁସ୍ତକ ମେଳା-୨୦୨୬ ସ୍ଥାନୀୟ ଦେଉଳବେଡ଼ା ଦୁର୍ଗା ମଣ୍ଡପ ପରିସରରେ ଉଦଘାଟିତ ହୋଇଯାଇଛି। ଏହି ଉତ୍ସବକୁ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଉଦଘାଟନ କରିଥିବା ବେଳେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ମୁଖ୍ୟ ଅତିଥି ଏବଂ ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ମୁଖ୍ୟବକ୍ତା ଭାବେ ଶିଶୁ ସାହିତ୍ୟିକ ତଥା ଏନବିଟିର ପୂର୍ବତନ ନିର୍ଦ୍ଦେଶକ ମାନସ ରଞ୍ଜନ ମହାପାତ୍ର ଯୋଗଦେଇ କହିଥିଲେ ଯେ, ପୁସ୍ତକ ମଣିଷ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଏହି ମେଳା ପାଠକ ଓ ପୁସ୍ତକ ମଧ୍ୟରେ ସେତୁ ସଦୃଶ କାର୍ଯ୍ୟ କରୁଛି। ସଭାପତି ତଥା ଉପଜିଲ୍ଲାପାଳଙ୍କ ଅନୁପସ୍ଥିତି ଯୋଗୁଁ କମିଟିର ଉପସଭାପତି ବରିଷ୍ଠ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ସାହୁ ସଭାପତିତ୍ୱ କରିଥିଲେ। ସାଧାରଣ ସମ୍ପାଦକ ଦେବୀ ମିଶ୍ର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଡଃ ରଶ୍ମି ରଂଜନ ମିଶ୍ର ମଞ୍ଚ ପରିଚାଳନା କରିଥିଲେ। ଅନ୍ୟତମ ଉପସଭାପତି ବିରଜା ଶଙ୍କର ମିଶ୍ର ଅତିଥି ପରିଚୟ ପ୍ରଦାନ କରିବା ସହ ସ୍ଵାଗତ ଭାଷଣ ଦେଇଥିଲେ।

ଏହି ମେଳା ଜାନୁୟାରୀ ୨୩ରୁ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ସନ୍ଧ୍ୟାରେ କୁନି କଳାକାରଙ୍କ ଦ୍ଵାରା ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଉତ୍ସବରେ ତାଳଚେର ଓ ଆଖପାଖ ଅଞ୍ଚଳର ବହୁ ପୁସ୍ତକପ୍ରେମୀଙ୍କ ସମାଗମ ହୋଇଥିଲା।

Share

Leave a Reply