ଆସୁଛନ୍ତି ବିଘ୍ନ ବିନାୟକ: ତାଳଚେର ଗଣେଶ ପୂଜା କେନ୍ଦ୍ରୀୟ କମିଟି ପକ୍ଷରୁ ଦ୍ୱିତୀୟ ପ୍ରସ୍ତୁତି ବୈଠକ ଆୟୋଜିତ, ଟ୍ରାଫିକ ପରିଚାଳନା ଓ ଭକ୍ତଙ୍କ ସୁରକ୍ଷାକୁ ଗୁରୁତ୍ୱ

0

ତାଳଚେର: ତାଳଚେର ଉପଜିଲ୍ଲାପାଳଙ୍କ କନ୍ଫରେନ୍ସ ହଲରେ ଆଜି ଗଣେଶ ପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ତାଳଚେର କେନ୍ଦ୍ରୀୟ ଗଣେଶ ପୂଜା କମିଟିର ସଭାପତି ତଥା ଉପଜିଲ୍ଲାପାଳ ମନୋଜ କୁମାର ତ୍ରିପାଠୀଙ୍କ ଅଧକ୍ଷତାରେ ଆୟୋଜିତ ଏହି ବୈଠକରେ ସାଧାରଣ ସମ୍ପାଦକ ଦିଲ୍ଲୀପ ପାଣି ଚଳିତ ବର୍ଷର କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ।
ପୂଜା ବେଳେ ଆଇନ ଶୃଙ୍ଗଳା ରକ୍ଷା କରିବା, ଟ୍ରାଫିକ ନିୟନ୍ତ୍ରଣ, ପାର୍କିଂ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ କରିବା, ରାସ୍ତାଘାଟ ମରାମତି କରିବା, ପରିମଳ ବ୍ୟବସ୍ଥାକୁ ସୁଧାରିବା ଆଦି ନେଇ ବୈଠକରେ ଆଲୋଚନା ହୋଇଥିଲା।

ତାଳଚେର ଏସଡିପିଓ ତଥା କେନ୍ଦ୍ରିୟ ଗଣେଶ ପୂଜା କମିଟିର କାର୍ଯ୍ୟକାରୀ ସଭାପତି ମାନସ ରଞ୍ଜନ ବାରିକ ପୂଜା ଓ ଭସାଣି ସମୟରେ କିପରି ଶୋଭାଯାତ୍ରା ସୁଚାରୁ ରୁପେ ସମ୍ପାଦନ ହେବ ସେ ଦାୟିତ୍ୱ ନେଇଥିଲେ।
ଚଳିତବର୍ଷ ମେଢ଼ ପେଣ୍ଡାଲ ଉଚ୍ଚତା ୧୨ ଫୁଟ ଓ ବିଦ୍ୟୁତ ତାର ଉଚ୍ଚତା ୧୫ଫୁଟ ମଧ୍ୟରେ ସୀମିତ ରହିବା ପାଇଁ କୁହାଯାଇଛି। ସେହିପରି ରାସ୍ତାରେ ଓହଳି ଥିବା ତାରକୁ ସଜାଡ଼ିବା ପାଇଁ ବିଦ୍ୟୁତ ବିଭାଗକୁ କୁହାଯାଇଥିଲା। ପରିମଳ, ରାସ୍ତା ଘାଟ ନିର୍ମାଣ, ମୁକୁଳା ଡ୍ରେନରେ ସ୍ଲାବ ପକାଇବା ଇତ୍ୟାଦି ପାଇଁ ପୌର ନିର୍ବାହୀ ଅଧିକାରୀ ବଳୟ ଦେହୁରୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ସେହିପରି ନିରବିଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଇ ଦେବାକୁ ବିଦ୍ୟୁତ ବିଭାଗ ଅଧିକାରୀଙ୍କୁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
ଜନସମାଗମକୁ ଦୃଷ୍ଟିରେ ରଖି ଗଣେଶ ପୂଜା ସମୟରେ ଦୁର୍ଘଟଣା ଏଡ଼ାଇବା ପାଇଁ କୋଇଲା ପରିବହନ ନିମନ୍ତେ ଚଳାଚଳ କରୁଥିବା (ଟ୍ରେନ, ଟ୍ରକ)କୁ ଅପରାହ୍ନ ୩ଟାରୁ ରାତି ୧୧ ଟା ପର୍ଯ୍ୟନ୍ତ ବନ୍ଦ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଏହି ନିୟମ ପୂଜା ଦିନ ସେପ୍ଟେମ୍ବର ୭ରୁ ଭସାଣି ୧୮ ତାରିଖ ଯାଏଁ ଲାଗୁ ହେବ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଟା କେଶବ ଭୁତିଆ, ଉପସଭାପତି ପ୍ରକାଶ ମହାରଣା, ସହ ସମ୍ପାଦକ ସୌଭାଗ୍ୟ ମହାରଣା ଓ ଜ୍ଞାନ ରଞ୍ଜନ ସାହୁ, କୋଷାଧ୍ୟକ୍ଷ ରଞ୍ଜିତ ମହାପାତ୍ର, ଅଶୋକ ଶତପଥୀ, ବିଦ୍ୟୁତ ବିଭାଗ ଏସଡିଓ ବବୁଲୁ ମହାରଣା, ପିଏଚଡି ଯନ୍ତ୍ରୀ ଜଳଧର ଦେବତା, ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ (ନିର୍ବାହୀ) ମଧୁସ୍ମିତା ବାସ୍କେ, ମିଡିଆ ସେଲ ସଂଯୋଜକ ତପନ କୁମାର ମହାରଣା, ଉପସଭାପତି ଡ଼ଃ ରଶ୍ମିରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.

error: Content is protected !!