୩ ଦଫା ଦାବି ନେଇ ତାଳଚେର ଶିଳ୍ପାଞ୍ଚଳ ଶ୍ରମିକ ସଂଘର ଗଣଧାରଣା

You are currently viewing ୩ ଦଫା ଦାବି ନେଇ ତାଳଚେର ଶିଳ୍ପାଞ୍ଚଳ ଶ୍ରମିକ ସଂଘର ଗଣଧାରଣା

ତାଳଚେର: ସ୍ଥାନୀୟ ଅନନ୍ତ କୋଇଲା ଖଣି ଦ୍ୱାରା କ୍ଷତିଗ୍ରସ୍ତ ବେକାରୀମାନଙ୍କୁ ନିଯୁକ୍ତି ସମେତ ୩ ଦଫା ଦାବି ନେଇ ଆଜି ତାଳଚେର ଶିଳ୍ପାଞ୍ଚଳ ଶ୍ରମିକ ସଂଘ ପକ୍ଷରୁ ସ୍ଥାନୀୟ ଜଗନ୍ନାଥ ମହାପ୍ରବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଗଣଧାରଣା ଦିଆଯାଇଛି।

ସଂଘର କହିବାନୁସାରେ, ଏମସିଏଲ ଜଗନ୍ନାଥ କ୍ଷେତ୍ର ଅଧୀନସ୍ଥ ଅନନ୍ତ କୋଇଲାଖଣି ଯୋଗୁ ତାଳଚେର ବ୍ଲକର ୩ଟି ପଞ୍ଚାୟତର ୧୫ ଟି ଗ୍ରାମର ଅନ୍ୟୁନ ୧୦ ହଜାର ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି। କୋଇଲା ଖଣିରେ କାର୍ଯ୍ୟରତ ଭିପିଆର, ଓଏସଏଲ ଏବଂ ଏସଟିପିଏଲ ଆଦି କମ୍ପାନୀ କାର୍ଯ୍ୟ କରୁଥିବା ବେଳେ ସେଥିରେ ତାଳଚେରର ବାହାର ଲୋକଙ୍କୁ ନିଯୁକ୍ତି ଦିଆଯାଉଛି, କିନ୍ତୁ ସ୍ଥାନୀୟ କ୍ଷତିଗ୍ରସ୍ତ ଲୋକ ବେକାର ହୋଇ ବୁଲୁଛନ୍ତି। ରାଜ୍ୟ ସରକାରଙ୍କର ନିୟମ ଅନୁସାରେ, ଘରୋଇ କମ୍ପାନୀରେ ୯୦ ଭାଗ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବାର ନିୟମ ଥିଲେ ମଧ୍ୟ କୌଣସି କମ୍ପାନୀ ଏହାକୁ ମାନୁନାହାନ୍ତି। ଏଣୁ ଅନନ୍ତ କୋଇଲା ଖଣିରେ କାର୍ଯ୍ୟରତ ସମସ୍ତ କମ୍ପାନୀରେ ୯୦ ପ୍ରତିଶତ ନିଯୁକ୍ତି ସ୍ଥାନୀୟ କ୍ଷତିଗ୍ରସ୍ତ ବେକାରଙ୍କୁ ପ୍ରଦାନ କରାଯିବା, ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ପାଇଁ ଏକ ନିର୍ଦ୍ଦିଷ୍ଟ ନିୟମ ପାଳନ କରାଯିବା ଏବଂ ଭିପିଆର କମ୍ପାନୀରେ କାର୍ଯ୍ୟରତ ସମସ୍ତ ସ୍ଥାନୀୟ ଠିକା ଶ୍ରମିକମାନଙ୍କୁ ୧୫ ହାଜିରା ବଦଳରେ ଏମସିଏଲ ନିୟମ ମୁତାବକ ୨୬ଟି ହାଜିରା ବାଧ୍ୟତାମୂଳକ ଭାବେ ଦିଆଯିବା ଆଦି ୩ ଦଫା ସଂଘର ଦାବି ରହିଛି।

ଯଦି ଏମସିଏଲ କିମ୍ବା ଘରୋଇ କମ୍ପାନୀ ନ ମାନନ୍ତି ତେବେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ କରାଯିବ ଓ ତାଳଚେର ବନ୍ଦ ଡାକରା ଦିଆଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଏ ନେଇ ତାଳଚେର ଶିଳ୍ପାଞ୍ଚଳ ଶ୍ରମିକ ସଂଘର ସଭାପତି ତଥା ବିଜେପିର ଯୁବନେତା ମନୋଜ କୁମାର ପ୍ରଧାନଙ୍କ ନେତୃତ୍ୱରେ ଏକ ଦାବି ପତ୍ର ଏମସିଏଲ ଜଗନ୍ନାଥ କ୍ଷେତ୍ରର ମହାପ୍ରବନ୍ଧକଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ଆଜିର ଏହି ଗଣଧାରଣାରେ ବହୁ ସଂଖ୍ୟାରେ ଠିକା ଶ୍ରମିକ ଯୋଗ ଦେଇଥିଲେ।

Share

Leave a Reply