ଏ ବର୍ଷ ବି ଚାଲୁ ହେବନି ତାଳଚେର ମେଡିକାଲ କଲେଜ ! ଏବେ ଯାଏଁ ଏନଏମସିର ଅନୁମୋଦନ ପାଇଁ କରାଯାଇନି ଆବେଦନ

You are currently viewing ଏ ବର୍ଷ ବି ଚାଲୁ ହେବନି ତାଳଚେର ମେଡିକାଲ କଲେଜ ! ଏବେ ଯାଏଁ ଏନଏମସିର ଅନୁମୋଦନ ପାଇଁ କରାଯାଇନି ଆବେଦନ

ଅନୁଗୁଳ: ତାଳଚେରସ୍ଥିତ ମହାନଦୀ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ (ମିମସାର)ରେ ନାମଲେଖାକୁ ନେଇ ଉପୁଜିଥିବା ଦ୍ବନ୍ଦ୍ବ ଏବେ ଯାଏଁ ସରିନି। ୨୦୨୩ ଶିକ୍ଷାବର୍ଷରୁ ଏଠାରେ ପାଠପଢ଼ା ଆରମ୍ଭ ହେବ ବୋଲି କୁହାଯାଉଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ବିଧିବଦ୍ଧ ପ୍ରସ୍ତୁତି ଆରମ୍ଭ ହୋଇନି। ନିକଟରେ କେନ୍ଦୁଝର ମେଡିକାଲ କଲେଜରେ ନାମଲେଖା ପାଇଁ ଜାତୀୟ ମେଡିକାଲ କମିସନ (ଏନ୍ଏମସି)ର ଅନୁମୋଦନ ମିଳିଥିଲା ବେଳେ ତାଳଚେରକୁ କେବେ ସ୍ୱୀକୃତି ମିଳିବ ସେ ନେଇ ପ୍ରଶ୍ନ ଉଠିଛି।

ପୁରୀର ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଓ କେନ୍ଦୁଝର ମେଡିକାଲ କଲେଜରେ ପିଲା ପଢ଼ିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ବହୁ ପୂର୍ବରୁ ଭିତ୍ତି ପଡ଼ିଥିବା ତାଳଚେରସ୍ଥିତ ମେଡିକାଲ କଲେଜରେ ଏବେ ଯାଏଁ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇନାହିଁ। ଚଳିତବର୍ଷ ଏହା ଚାଲୁ ହେବ ବୋଲି ଅନୁମାନ କରାଯାଉଥିଲା। କିନ୍ତୁ ଏବେ ଯାଏଁ ଏ ନେଇ କୌଣସି ସୂଚନା ମିଳିନାହିଁ। ଫଳରେ ଲୋକଙ୍କୁ ଉନ୍ନତମାନର ସେବା ମିଳିବା ନେଇ ଆଶା ଟିକକ ମଉଳିବାରେ ଲାଗିଛି।

୨୦୧୯ ମସିହାରେ ଏହି ମେଡିକାଲ କୋଠାର ଉଦଘାଟନ ହୋଇଥିଲେ ମଧ୍ୟ ବ୍ୟବହାରକ୍ଷମ ହୋଇନଥିବାରୁ ବିଲ୍ଡିଂଟି ଭୂତକୋଠି ହୋଇ ପଡ଼ି ରହିଛି। ଏବେ ଯାଏଁ ଏଠାରେ ପାଠପଢା ଆରମ୍ଭ ହୋଇନି କି ମେଡିକାଲ ବି କାର୍ଯ୍ୟକ୍ଷମ କରାଯାଇପାରିନି। ପରିଚାଳନାଗତ ସମସ୍ୟା ପାଇଁ ଏହା କାର୍ଯ୍ୟକ୍ଷମ ହେବାରେ ବିଳମ୍ବିତ ହୋଇଛି। ରାଜ୍ୟ ସରକାର ଓ ଏମ୍‌ସିଏଲ୍ ମଧ୍ୟରେ ଟଣାଓଟରା ପରେ ରାଜ୍ୟ ସରକାର ଏହାର ପରିଚାଳନା କରିବାକୁ ରାଜି ହୋଇଛନ୍ତି। ଏଥିପାଇଁ ଆବଶ୍ୟକ ଅର୍ଥ ଏମ୍‌ସିଏଲ୍ ପ୍ରଦାନ କରିବ। ଏହା ଚୂଡ଼ାନ୍ତ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଜାତୀୟ ମେଡିକାଲ କମିସନ(ଏନ୍ଏମସି)ର ଅନୁମୋଦନ ପାଇଁ ଆବେଦନ ହୋଇ ନ ଥିବାରୁ ପ୍ରକ୍ରିୟା ବିଳମ୍ବିତ ହେବାର ଆଶଙ୍କା ରହିଛି। ଏଣୁ ଚଳିତବର୍ଷ ବି ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି।

Share

Leave a Reply