ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଇଥିବା ଗ୍ୟାଙ୍ଗର ପର୍ଦ୍ଦାଫାସ, ଦୁଇ ଦୁର୍ବୃତ୍ତ ସହ ମୋଟ ୭ ଗିରଫ

You are currently viewing ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଇଥିବା ଗ୍ୟାଙ୍ଗର ପର୍ଦ୍ଦାଫାସ, ଦୁଇ ଦୁର୍ବୃତ୍ତ ସହ ମୋଟ ୭ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବାଘୁଆ ବୋଲ ଅଞ୍ଚଳରୁ ଜଣେ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଇଥିବା ଦୁଇ ଦୁର୍ବୃତ୍ତଙ୍କୁ ଗିରଫ କରିଛି ତାଳଚେର ପୋଲିସ। ଅଭିଯୁକ୍ତ ଦ୍ବୟ ହେଲେ ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ କଲଣ୍ଡା ଗ୍ରାମର ସୁବାଷ ସାହୁ ଓ ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ଥାନା ଅନ୍ତର୍ଗତ ମୁକୁନ୍ଦପୁର ଗ୍ରାମର ଗିରିଜା ଶଙ୍କର ସ୍ୱାଇଁ ଓରଫ ହାପି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅନୁଗୁଳ ଏସପି ରାହୁଲ ଜୈନ ଏହି ସୂଚନା ଦେଇଛନ୍ତି।

ସୂଚନା ମୁତାବକ, ଗତ ୧୮ ତାରିଖରେ ବାଘୁଆବୋଲ ଅଞ୍ଚଳର ଜଣେ ମହିଳା ସକାଳୁ ଘରର ଅଳିଆ ପକାଇବାକୁ ବାହାରକୁ ଯାଇଥିବା ସମୟରେ ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କୁ ଠିକଣା ପଚାରି ବେକରୁ ସୁନା ଚେନ ଝାମ୍ପି ନେଇଥିଲେ। ଏହି ଘଟଣା ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା। ଏହାକୁ ଆଧାର କରି ତାଳଚେର ପୋଲିସ ତନାଘନା ଚଳାଇଥିଲା। ଶେଷରେ ପୋଲିସ ଏହି ଛିନତାଇ ଘଟଣାରେ ଦୁଇ ଅଭିଯୁକ୍ତ ସମେତ ଅନ୍ୟ ୫ ଜଣଙ୍କୁ ମୋଟ ୭ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ଦ୍ବୟ ହେଲେ ସୁବାଷ ସାହୁ ଓ ଗିରିଜା ଶଙ୍କର ସ୍ୱାଇଁ। ସେହିପରି ଦୁଇ ଅଭିଯୁକ୍ତଙ୍କ ଠାରୁ କଟକ ଅଞ୍ଚଳର ଜିତେନ୍ଦ୍ର ମହାରଣା ଓ ସୁରେଶ କୁମାର ଜେଠି ସୁନା କ୍ରୟ କରି ଥିବାର ପୋଲିସ ପ୍ରକାଶ କରିଛି ।

ଏତଦ୍ ବ୍ୟତୀତ ଢେଙ୍କାନାଳ ଜିଲ୍ଲା ପିଙ୍ଗୁଆ ଗ୍ରାମର ପ୍ରତାପ ଚନ୍ଦ୍ର ପଣ୍ଡା, ଯାଜପୁର ଜିଲ୍ଲା କବାଟବନ୍ଧ ଗ୍ରାମର ବଟକୃଷ୍ଣ ମହାରଣା ଏବଂ ଯାଜପୁର ଜିଲ୍ଲା କଲଣ୍ଡା ଗ୍ରାମର ଗଙ୍ଗାଧର ସାହୁ ଏଥିରେ ମଧ୍ୟସ୍ଥି ସାଜିଥିଲେ ବୋଲି ସୂଚନା ଦିଆଯାଇଛି। ଅଭିଯୁକ୍ତ ମାନଙ୍କ ଠାରୁ ୨୪ ଟି ସୁନା ଚେନ (ପ୍ରାୟ ୩ଶହ ଗ୍ରାମ, ଯାହାର ଆନୁମାନିକ ମୂଲ୍ୟ ୨୪ ଲକ୍ଷ ଟଙ୍କା) ଏବଂ ଏକ ମୋଟର ସାଇକେଲ ଜବତ କରାଯାଇଛି। ଅଭିଯୁକ୍ତ ମାନେ ୨୦୨୪ ଓ ୨୫ ଏହି ଦୁଇ ବର୍ଷରେ ମୋଟ ୨୪ଟି କେସରେ ସଂପୃକ୍ତ ଅଛନ୍ତି ବୋଲି ପୋଲିସ କହିଛି।

Share

Leave a Reply