ଉଚିତ ଭଡା ପ୍ରଦାନକୁ ନେଇ ତାଳଚେର ଟ୍ରକ ମାଲିକ ସଂଘର ପରିବର୍ଦ୍ଧିତ କାର୍ଯ୍ୟ କାରିଣୀ ବୈଠକ,ଟ୍ରକ ଭଡା କଟା ନୀତି ନେଇ ଆନ୍ଦୋଳନ ପାଇଁ ନିଷ୍ପତି

0

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେରରେ ଟ୍ରକ ମାଲିକ ମାନଙ୍କ ପ୍ରତି ପରିବହନ କାରୀ ସଂସ୍ଥାର ଅସହଯୋଗ ଓ ଭଡା କଟା ନୀତି ଯୋଗୁଁ ଟ୍ରକ ମାଲିକ ମାନଙ୍କ ଦୁଃଖ ଦୂର ହେବା ପରିବର୍ତ୍ତେ ଦିନକୁ ଦିନ ଆହୁରି ଜଟିଳ ହେବାକୁ ଲାଗିଛି। ଯାହା ଫଳରେ ଟ୍ରକ ମାଲିକଙ୍କ ପରିବାର ଉପରେ କଳା ବାଦଲ ଘେରି ରହିଥିବା ପରି ବିପଦ ଦେଖାଦେଇଛି। ଗତ ୧୦ ମାସ ତଳେ ଭଡା ବୃଦ୍ଧି ପାଇଁ ଟ୍ରକ ମାଲିକ ସଂଘ ପକ୍ଷରୁ ଆନ୍ଦୋଳନ କରାଯାଇ ସ୍ଥାନୀୟ ବିଧାୟକ ପ୍ରଶାସନ ଓ ପରିବହନ କାରୀ ସଂସ୍ଥା କମ୍ପାନୀ ପ୍ରତିନିଧିଙ୍କ ମଧ୍ୟରେ ତ୍ରିପାକ୍ଷିକ ଆଲୋଚନାରେ ଭଡା ବୃଦ୍ଧି ନେଇ ନିଷ୍ପତି କରାଯାଇ ଭଡାବୃଦ୍ଧି ହୋଇଥିଲା ।ତେବେ ନିଷ୍ପତି ମୁତାବକ ୩/୪ମାସ ସବୁକିଛି ଠିକଠାକ୍ ଚାଲିବା ପରେ ପୁଣି ଧୀରେ ଧୀରେ ଏହି ନିଷ୍ପତ୍ତି ଆଣ୍ଠେଇଛି।

ଏବେ ଭଡା ବୃଦ୍ଧି ନିଷ୍ପତି ଚୂଲିକି ଯାଇ ପୁରୁଣା ରେଟରୁ ମଧ୍ୟ ଭଡା କାଟି କମ ଦର କରି ପରିବହନ କାରୀ ସଂସ୍ଥା ଟ୍ରକ ମାଲିକଙ୍କୁ ପ୍ରଦାନ କରୁଛି। କମ୍ପାନୀ ସହିତ ସଲାସୁତାରା କରି କିଛି ଦଲାଲ ପରିବହନ କାରୀ ସଂସ୍ଥା ଏପରି ପରିସ୍ଥିତ ସୃଷ୍ଟି କରିଛନ୍ତି ବୋଲି ଆଜି ଭରତପୁର ସ୍ଥିତ ରବୀନ୍ଦ୍ର ଭାରତ ମଣ୍ଡପ ଠାରେ ଟ୍ରକ ମାଲିକ ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି। ଏବଂ ଟ୍ରକ ମାଲିକଙ୍କ ବଢିଚାଲିଥିବା ଦୁର୍ଦଶାକୁ କିପରି ସମାଧାନ କରିବାକୁ ହେବ ସେଥିନେଇ ବିସ୍ତୃତ ଆଲୋଚନା କରାଯାଇ ପରିବହନ କାରୀ ସଂସ୍ଥାର ଭଡାକଟା ନୀତିକୁ ଏହି ବୈଠକରେ ତୀବ୍ର ବିରୋଧ କରାଯାଇଥିଲା।

ଏଥିରେ ଟ୍ରକ ମାଲିକ ସଙ୍ଘର ସଭାପତି ଅରବିନ୍ଦ ଭୁତିଆ ସମ୍ପାଦକ ରତନ ଶତପଥି , କାର୍ଯ୍ୟକାରୀ ସଭାପତି ଟୁକୁନା ସ୍ୱାଇଁ,ଉପଦେଷ୍ଟା ମୁରଲୀ ସାହୁ ଆଞ୍ଚଳିକ ଟ୍ରକ ମାଲିକ ସଂଘର ସଭାପତି ଇଂ ମାନସ ରଞ୍ଜନ ଆଚାର୍ଯ୍ୟ ଏବଂ ପ୍ରତ୍ୟେକ ସେକ୍ଟରର ଇନଚାର୍ଜ ମାନେ ଉପସ୍ଥିତ ଥିଲେ। କିପରି ପରିବହନ ଓ ପ୍ଲାଣ୍ଟ ମିଶି ଭଡା କଟାନୀତି ଆପଣାଇ ଟ୍ରକ ମାଲିକଙ୍କ ପେଟକୁ ନାତ ମାରୁଛନ୍ତି ତାହା ଉପରେ ଆଲୋଚନା ହୋଇଥିଲା। ଆଗାମୀ ଦିନରେ ଏହାକୁ ବରଦାସ୍ତ କରା ନ ଯାଇ ଏହାର କଡା ମୁକାବିଲା କରାଯିବ ଏବଂ ଏଥିପାଇଁ ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ସ୍ଥାନୀୟ ଉପଜିଲ୍ଲାପାଳ ଅନୁଗୁଳ ଜିଲ୍ଲାପାଳଙ୍କୁ ଜଣାଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଯଦି ପରିବହନ କାରୀ ସଂସ୍ଥାର ଏଭଳି ନୀତି ଚାଲେ ତେବେ ଆଗକୁ ଏହା ବରଦାସ୍ତ କରାଯିବନାହିଁ। ଏହାର ଉଚିତ ଜବାବ ଦିଆଯିବ ବୋଲି ଆଜି ପରିବର୍ଦ୍ଧିତ କାର୍ଯ୍ୟ କାରିଣୀ ବୈଠକରେ ନିଷ୍ପତି ନିଆଯାଇଛି।

Leave A Reply

Your email address will not be published.

error: Content is protected !!