ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ଖଲାରୀ ଜମ୍ବୁବନ୍ଧ ଛକ ନିକଟରେ ଆଜି ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି। ଦୁଇଟି ବାଇକ୍ ମଧ୍ୟରେ ମୁହାମୁହିଁ ଧକ୍କା ହେବା ଫଳରେ ଜଣେ ବ୍ୟକ୍ତିଙ୍କର ଅକାଳ ବିୟୋଗ ଘଟିଛି। ମୃତକ ଜଣକ ହେଲେ ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ମିଶ୍ରପଡା ଅଞ୍ଚଳର ଅମିତ୍ କୁମାର ପାଲଶର୍ମା। ସୂଚନା ଅନୁଯାୟୀ, ଅମିତ୍ ଟାଟା ପାୱାର (TPCODL) ର ଜଣେ କର୍ମଚାରୀ ଥିଲେ ଏବଂ ଆଜି ସକାଳୁ ସେ ନିଜ ବାଇକ୍ ଯୋଗେ ବିଦ୍ୟୁତ୍ ବିଲ୍ ସଂଗ୍ରହ କରିବା ପାଇଁ କାଙ୍ଗୁଲା ଅଭିମୁଖେ ବାହାରିଥିଲେ। ଯାତ୍ରା ସମୟରେ ବିପରୀତ ଦିଗରୁ ଆସୁଥିବା ଅନ୍ୟ ଏକ ଦ୍ରୁତଗାମୀ ବାଇକ୍ ସହ ତାଙ୍କର ମୁହାମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ଅମିତ୍ ଗୁରୁତର ଭାବେ ଆହତ ହୋଇଥିବା ବେଳେ ସ୍ଥାନୀୟ ବାସିନ୍ଦା ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି।
ବିଲ୍ କଲେକ୍ସନ ପାଇଁ ଯାଉଥିବା ବେଳେ ଘଟିଲା ଅଘଟଣ: ଦୁର୍ଘଟଣାରେ ଟାଟା ପାୱାର କର୍ମଚାରୀଙ୍କ ମୃତ୍ୟୁ
- Post published:March 22, 2026
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
Tags: Angul



