ଦମନ ଯୋଜନା ପଛର ଅନୁଗୁଳିଆ ହିରୋ, ଡାକ୍ତର ମଦନ ମୋହନ

You are currently viewing ଦମନ ଯୋଜନା ପଛର ଅନୁଗୁଳିଆ ହିରୋ, ଡାକ୍ତର ମଦନ ମୋହନ

ଅନୁଗୁଳ: ନିକଟରେ ରିଲିଜ ହୋଇଥିବା ‘ଦମନ’ ଚଳଚ୍ଚିତ୍ର କୋରାପୁଟ ଜିଲ୍ଲାରେ ମ୍ୟାଲେରିଆ ନିରାକରଣ ଯୋଜନାର ବାସ୍ତବ ଧର୍ମୀ କଥାବସ୍ତୁ ଉପରେ ଆଧାରିତ ବୋଲି କୁହାଯାଉଛି। ଲକ୍ଷ ଲକ୍ଷ ଦର୍ଶକ ଏହି ଚଳଚିତ୍ରକୁ ଦେଖିଲେଣି। ବାବୁସାନ ଚକଚିତ୍ରରେ ଅସଲ ହିରୋ ସାଜିଥିବା ବେଳେ କିଛି ଗଣମାଧ୍ୟମ ଡାକ୍ତର ଓଁକାର ଭଟ୍ଟଙ୍କୁ ଏହାର ଶ୍ରେୟ ଦିଅନ୍ତି। କିନ୍ତୁ ଏହା ଶତ ପ୍ରତିଶତ ଠିକ ନୁହେଁ। ତାଙ୍କ ଭଳି ଅନେକ ଡାକ୍ତର ସେଠି ଆନ୍ତରିକତାର ସହ କାର୍ଯ୍ୟ କରିଛନ୍ତି। କିନ୍ତୁ ଅନେକେ ଜାଣି ନାହାନ୍ତି ଯେଉଁ ଦମନ ଯୋଜନାକୁ ନେଇ ଫିଲ୍ମ କରାଯାଇଛି ସେହି ଯୋଜନାର ବ୍ଲୁ ପ୍ରିଣ୍ଟ କରିଥିଲେ ଅନୁଗୁଳର ଜଣେ ଡାକ୍ତର ମଦନ ମୋହନ ପ୍ରଧାନ। ତାଙ୍କ ଘର ତାଳଚେର ଅଞ୍ଚଳରେ।ରାଜ୍ୟ ଓମ୍‌ସା ସାଧାରଣ ସମ୍ପାଦକ ଡା ବିଶ୍ୱଜିତ ସାମଲଙ୍କ ଠାରୁ ଏ ନେଇ ସୂଚନା ପାଇବା ପରେ ଏଟିଭି‌ ପକ୍ଷରୁ ଆମେ ଟେଲିଫୋନ ଯୋଗେ ତାଙ୍କ ସହ ଯୋଗାଯୋଗ‌ କରିଥିଲୁ। ସେ କହିଥିଲେ ୨୦୧୬ ମସିହାରେ ଭୁବନେଶ୍ୱରରେ କାମ କରୁଥିବା ସମୟରେ କୋରାପୁଟ ଜିଲ୍ଲାରେ ମ୍ୟାଲେରିଆରେ ଆକ୍ରାନ୍ତ ହୋଇ ବହୁ ଲୋକ ମରୁଥିଲେ। ସେ ଅଞ୍ଚଳ ପାଇଁ କିଛି କରିବାର ଲକ୍ଷ ନେଇ ସେ ଦମନ ଯୋଜନାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ।

କେନ୍ଦ୍ର ଯୋଜନାର ସହାୟତା ବିନା ଏହାକୁ କିପରି କାର୍ଯ୍ୟକାରୀ କରାଯିବ ତାହା ସେତେବେଳେ ଏକ ଆହ୍ୱାନ ଥିଲା। ଫାଇନାନ୍ସ ବିଭାଗ ଦୁଇ ଦୁଇ ଥର ଫାଇଲ ଫେରାଇବା ପରେ ତୃତୀୟ ଥର ଫାଇଲରେ ସ୍ବାକ୍ଷର କରିବା ସହ ଅର୍ଥ ବ୍ୟବସ୍ଥା କରିଥିଲେ।ଏହାପରେ ବ୍ଲୁ ପ୍ରିଣ୍ଟ ମୁତାବକ ଆଶା, ଅଙ୍ଗନବାଡି କର୍ମୀ, ସ୍ୱାସ୍ଥ୍ୟକର୍ମୀ, ଡାକ୍ତର ମାନଙ୍କୁ ନେଇ ଦମନ ଅର୍ଥାତ ‘ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ’ ଯୋଜନାକୁ ସଫଳ ରୂପାୟନ କରାଯାଇଥିଲା।

ବର୍ଷକ ମଧ୍ୟରେ ୨୦୧୮ ରେ ରାଜ୍ୟରେ ମ୍ୟାଲେରିଆର ପ୍ରକୋପ ୮୦ ପ୍ରତିଶତ କମି ଏକ ରେକର୍ଡ କରିଥିଲା। ଏହି ଅଭିଯାନରେ ମୋଟ ୧୦ଟି ଜିଲ୍ଲାକୁ ଅନ୍ତର୍ଭୁକ୍ତ କରାଯାଇଥିଲା। ଏହି ସମୟରେ ଏକ କୋଟି ତେର ଲକ୍ଷ ଔଷଧ ବୁଡା ମସାରି ବଣ୍ଟନ କରାଯାଇଥିଲା। ଲୋକେ ଗାଁ ଗୁଣିଆ, କ୍ୱାକ ମାନଙ୍କ ଠାରୁ ଦୂରେଇ ଡାକ୍ତରଙ୍କ ଉପରେ ଭରସା କରିବା ଆରମ୍ଭ କରିଥିଲେ। ଶେଷରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପୂର୍ବ ଆଫ୍ରିକାରେ ଆୟୋଜିତ ସ୍ୱତନ୍ତ୍ର ସମ୍ମିଳନୀରେ ଭାରତରୁ ଏକମାତ୍ର ପ୍ରତିନିଧି ରୂପେ ଯୋଗ ଦେଇ ସମ୍ବର୍ଦ୍ଧନା ଗ୍ରହଣ କରିଥିଲେ ଡାକ୍ତର ପ୍ରଧାନ। ବର୍ଷକରେ ମ୍ୟାଲେରିଆ ପ୍ରକୋପକୁ ୮୦ ପ୍ରତିଶତକୁ କମାଇବା ନେଇ ବିଶେଷଜ୍ଞ ମାନେ ଡାକ୍ତର ପ୍ରଧାନଙ୍କୁ ବେଶ ତାରିଫ କରିଥିଲେ।

ଏଠାରେ ପ୍ରକାଶଯୋଗ୍ୟ ଡା. ମଦନ ମୋହନ ପ୍ରଧାନ ଏବେ ବୌଦ୍ଧ ଜିଲ୍କାର ଆଡିସନାଲ ଡିଷ୍ଟ୍ରିକ୍ଟ ପବ୍ଲିକ ହେଲଥ ଅଫିସର ଭିବିଡ଼ି ଭାବେ କାର୍ଯ୍ୟ କରୁଛନ୍ତି।

Share

Leave a Reply