ଅନୁଗୁଳ: ଓଡ଼ିଶା ବିଧାନସଭାର ଉପବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ଶୁକ୍ରବାର ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟର ସମୀକ୍ଷା କରି ମନ୍ଥର ଗତିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ୫୫ ନମ୍ବର ଓ ୧୪୯ ନମ୍ବର ଜାତୀୟ ରାଜପଥର ସମ୍ପ୍ରସାରଣ ସମ୍ପର୍କିତ ସମୀକ୍ଷା ବୈଠକ ପୂର୍ବାହ୍ନରେ ସର୍କିଟ ହାଉସ୍ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଏଥିରେ ଅଧ୍ୟକ୍ଷତା କରି ବୈଠକର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ପରସ୍ପର ମଧ୍ୟରେ ସମନ୍ବୟ ରଖି ସମ୍ପ୍ରସାରଣ କାର୍ଯ୍ୟକୁ ତ୍ବରାନ୍ବିତ କଲେ ଜିଲ୍ଲାବାସୀ ଏହାର ସୁଫଳ ଶୀଘ୍ର ପାଇପାରିବେ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ଅନୁଗୁଳରୁ ସମ୍ବଲପୁର ପର୍ଯ୍ୟନ୍ତ ଜାତୀୟ ରାଜପଥ ସମ୍ପ୍ରସାରଣ ଓ ଅନୁଗୁଳ ବାଇପାସ୍ ନିର୍ମାଣାଧୀନ ରାସ୍ତା କାର୍ଯ୍ୟରେ ଉପୁଜୁଥିବା ସମସ୍ୟା ତୁରନ୍ତ ସମାଧାନ କରି ସମ୍ପ୍ରସାରଣ କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ଉପବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି ।ଜାତୀୟ ରାଜପଥ ପ୍ରାଧିକରଣ ସଂସ୍ଥା ଓ ଜିଲ୍ଲା ପ୍ରଶାସନର ବିଭାଗୀୟ କର୍ତ୍ତୃପକ୍ଷ ମଧ୍ୟରେ ଥିବା ସମନ୍ଵୟକୁ ଅଧିକ ବଳବତ୍ତର କରିବା ପାଇଁ ୫୫ ଜାତୀୟ ରାଜପଥ ସମସ୍ୟା ସମାଧାନ ସମନ୍ବୟ ବୈଠକ ୭ ଦିନ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତପନ କୁମାର ଶତପଥୀ ଓ ୧୪୯ନଂ ଜାତୀୟ ରାଜପଥ ସମନ୍ବୟ ବୈଠକ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ) ସନ୍ତୋଷ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ । ଏହି ୨ ବୈଠକରେ ସମ୍ପ୍ରସାରଣ ସମ୍ପର୍କିତ ସମସ୍ୟାର ଆଶୁ ସମାଧାନ ବାହାର କରାଯାଇ ରାଜପଥ ନିର୍ମାଣ କାର୍ଯ୍ୟକୁ ତ୍ବରାନ୍ବିତ କରାଯିବ।ଅନୁଗୁଳ ସଦର ମହକୁମା ଦେଇ ଯାଇଥିବା ଜାତୀୟ ରାଜପଥର ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହୋଇସାରିଛି ।
୩୫ କୋଟି ଟଙ୍କା ବ୍ୟୟରେ ଏହି ରାସ୍ତାର ସମ୍ପ୍ରସାରଣ ଓ ଆଧୁନିକୀକରଣ କରାଯିବ । ସେହିପରି ୧୪୯ ନଂ ଜାତୀୟ ରାଜପଥର ବଅଁରପାଳ ଠାରୁ ଗୋଡ଼ିବନ୍ଧ ପର୍ଯ୍ୟନ୍ତ ୧୭.୭୫ କି.ମି ରାସ୍ତାକୁ ୫୨୦ କୋଟି ଟଙ୍କା ବ୍ୟୟରେ ୪ ଲେନ୍ ବିଶିଷ୍ଟ ରାସ୍ତାରେ ପରିଣତ କରାଯିବ । ଏହାର ଜମି ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ ହୋଇସାରିଛି ବୋଲି ଏନ୍ଏଚ୍ଏଆଇ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ପରାମର୍ଶ ଦେଇଛନ୍ତି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଦିଲ୍ଲୀପ କୁମାର ସାହୁ, ସମସ୍ତ ଉପଜିଲ୍ଲାପାଳ, ଏନଏଚ ସ୍ଥାନୀୟ ଟିମ୍ ହେଡ୍ ଅନୁପ ପାଣିଗ୍ରାହୀ, ପ୍ରକଳ୍ପ ନିର୍ଦ୍ଦେଶକ ଏ ଶ୍ରୀନିବାସ ରାଓ ଏବଂ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ।