ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କଲେ ଜିଲ୍ଲାପାଳ ଓ ଏସ୍ପି, ରୋଗୀଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇବା ଉପରେ ଗୁରୁତ୍ୱ
ଅନୁଗୁଳ: ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଚାନକ ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ ଏସ୍ପି ଜଗମୋହନ ମୀନା। ଏ ଅବସରରେ ସେମାନେ ହସ୍ପିଟାଲ ବୁଲି ଦେଖିବା ସହ ରୋଗୀଙ୍କୁ ଠିକ୍ ଭାବେ ଚିକିତ୍ସା ସୁବିଧା ମିଳୁଛି କି ନାହିଁ ସେ ନେଇ ରୋଗୀ ଓ ସମ୍ପର୍କୀୟଙ୍କୁ ପଚାରି ବୁଝିଥିଲେ।
ଆଜିର ଗସ୍ତ ବେଳେ ଉଭୟ ଜିଲ୍ଲାପାଳ ଓ ଏସ୍ପି କୋଭିଡ୍ କମାଣ୍ଡ କଣ୍ଟ୍ରୋଲ ସେଣ୍ଟର ଏବଂ ବିଏସ୍କେଓ୍ଵାଇ ସେବା ରୋଗୀଙ୍କୁ ଠିକ୍ ଭାବେ ମିଳୁଛି କି ନାହିଁ ସେ ନେଇ ବୁଝିଥିଲେ। ଏଥିସହ ଅଧିକାରୀମାନେ ମେଡିସିନ୍ ଓ ଏକ୍ସପାୟାରୀ ରେଜିଷ୍ଟରର ସମୀକ୍ଷା ଏବଂ ନିୟମିତ ବ୍ୟବଧାନରେ ଅଡିଟ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ହସ୍ପିଟାଲରେ ଭିନ୍ନକ୍ଷମମାନଙ୍କୁ ଯେମିତି ଠିକ୍ ଚିକିତ୍ସା ମିଳିବ, ସେଥିପାଇଁ ସେମାନଙ୍କ ପାଇଁ ସ୍ୱତନ୍ତ୍ର ଧାଡ଼ି କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ। ହସ୍ପିଟାଲରେ ରେଜିଷ୍ଟ୍ରେସନ୍ କାଉଣ୍ଟର ସଂଖ୍ୟା ବଢ଼ାଇବା ପାଇଁ ସିଡିଏମ୍ଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଫଳରେ ଗହଳିକୁ ନିୟନ୍ତ୍ରଣ କରି ହେବ ବୋଲି କହିଛନ୍ତି ଜିଲ୍ଲାପାଳ। ଏଥିସହ ସହାୟକ ଡେସ୍କକୁ ଠିକ୍ ଭାବେ ପରିଚାଳନା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ଆଜିର ଗସ୍ତ ଅବସରରେ ଜିଲ୍ଲାପାଳ ଓପିଡିର ନୂଆ ନିର୍ମାଣଧୀନ ବିଲ୍ଡିଂର ନିର୍ମାଣ କାମର ମଧ୍ୟ ସମୀକ୍ଷା କରିଥିଲେ।
ଜିଲ୍ଲାପାଳଙ୍କ ଗସ୍ତ ଅବସରରେ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସମେତ ହସ୍ପିଟାଲର ସିଡିଏମ୍ଓ ଓ ଅନ୍ୟ ମୁଖ୍ୟମାନେ ଉପସ୍ଥିତ ଥିଲେ।