ମହିଳାଙ୍କୁ କିରାସିନି ଢାଳି ହତ୍ୟା ମାମଲା, ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ

0

ଅନୁଗୁଳ: ଛଅ ବର୍ଷ ତଳେ ଜଣେ ମହିଳାଙ୍କୁ କିରାସିନି ଢାଳି ହତ୍ୟା କରିବା ମାମଲାର ରାୟ ଗୁରୁବାର ଅନୁଗୁଳ ଜିଲ୍ଲା ଓ ଦୌରା ଜଜ୍ କୋର୍ଟରେ ପ୍ରକାଶ ପାଇଛି । ଜିଲ୍ଲା ଓ ଦୌରା ଜଜ୍ ଅଶାନ୍ତ କୁମାର ଦାଶ ମାମଲାର ବିଚାର କରି ଅଭିଯୁକ୍ତ ସମ୍ବଲପୁର ଜିଲ୍ଲା ଶାସନ ଥାନା ଇଲାକା ଷୋଡ଼ସିଂହା ଗ୍ରାମର ମୁକେଶ ଭୋଇ(୪୦)କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ ଜେଲ ଦଣ୍ଡାଦେଶ ପ୍ରଦାନ କରିଛନ୍ତି । ଏଥିସହ ୧୦ ହଜାର ଟଙ୍କା ଜରିମାନା, ଜରିମାନା ରାଶି ଅନାଦେୟ ଅଧିକ ୨ ବର୍ଷ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟରେ ଉଲ୍ଲେଖ ରହିଛି । ଆରମ୍ଭରୁ ଏହି ମାମଲାର ଶୁଣାଣି ସମ୍ବଲପୁର ଅତିରିକ୍ତ ଦୌରାଜଜ୍ କୋର୍ଟରେ ଚାଲିଥିଲା । ୧୫ ଜଣଙ୍କଠାରୁ ସାକ୍ଷ୍ୟ ଗ୍ରହଣ ଶେଷ ହୋଇଥିଲା ବେଳେ ହାଇକୋର୍ଟ ଏହି ମାମଲାର ଶୁଣାଣି ଅନୁଗୁଳ ଜିଲ୍ଲା ଦୌରା ଜଜ୍ କୋର୍ଟରେ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଫଳରେ ମାମଲାର ଶୁଣାଣି ୨୦୧୯ ଜୁଲାଇ ୨୯ ତାରିଖରୁ ଅନୁଗୁଳ ଜିଲ୍ଲା ଦୌରା ଜଜ୍ କୋର୍ଟରେ ଆରମ୍ଭ ହୋଇଥିଲା ।

ସୂଚନା ମୁତାବକ, ୨୦୧୫ ମସିହା ଜୁଲାଇ ୨୪ ତାରିଖ ରାତିରେ ସମ୍ବଲପୁର ଜିଲ୍ଲା ଶାସନ ଥାନା ଇଲାକା ଷୋଡ଼ସିଂହା ଗ୍ରାମରେ ଘଟିଥିଲା ଏହି ଜଘନ୍ୟ ହତ୍ୟାକାଣ୍ଡ । ଅଭିଯୁକ୍ତ ମୁକେଶ ସେହି ଗ୍ରାମର ସୁଷମା ବାଦୀ ଓରଫ୍ ପିଙ୍କିଙ୍କ ଦେହରେ କିରାସିନି ଢାଳି ନିଆଁ ଲଗାଇ ଅତି ଅମାନୁଷିକ ଭାବେ ହତ୍ୟା କରିଥିଲା । ବିଳମ୍ବିତ ରାତି ପ୍ରାୟ ଗୋଟାଏ ବେଳେ ମନ୍ଦ ଉଦ୍ଦେଶ୍ୟ ରଖି ପିଙ୍କିଙ୍କ ଘରେ ପଶିଥିଲା ମୁକେଶ । ପିଙ୍କି ଗୋଟିଏ ରୁମ୍‌ରେ ଶୋଇଥିବା ବେଳେ ଅନ୍ୟ ଏକ ଘରେ ତାଙ୍କ ସ୍ଵାମୀ ସନ୍ତୋଷ ବାଦୀ ଓ ଛୋଟ ଝିଅ ଶୋଇଥିଲେ । ପିଙ୍କି ଏକା ଶୋଇଥିବା ଦେଖି ମୁକେଶ ଶାରୀରିକ ସମ୍ପର୍କ ରଖିବାକୁ ଉଦ୍ୟମ କରିଥିଲା । ହେଲେ ପିଙ୍କି ଏହାକୁ ବିରୋଧ କରିଥିଲେ। ମୁକେଶ ରାଗିଯାଇ ତାଙ୍କ ଦେହରେ କିରାସିନି ଢାଳି ନିଆଁ ଲଗାଇବା ପରେ ଚମ୍ପଟ ମାରିଥିଲା । ପିଙ୍କିଙ୍କ ଚିତ୍କାର ଶୁଣି ପରିବାର ଲୋକ ତାଙ୍କୁ ଦରପୋଡ଼ା ଅବସ୍ଥାରେ ଉଦ୍ଧାର କରିଥିଲେ । ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ପରଦିନ ସନ୍ଧ୍ୟାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା । ମୃତ ପିଙ୍କିଙ୍କ ବାପା ଶାସନ ଥାନାରେ ଏ ନେଇ ଲିଖିତ ଅଭିଯୋଗ କରିଥିଲେ । ପୁଲିସ୍‌ ଏ ସଂକ୍ରାନ୍ତରେ କେସ୍ ନଂ ୧୧୨/୧୫ରେ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ମୁକେଶଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା ।ସମ୍ବଲପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ କୋର୍ଟରେ ଏହି ମାମଲାର ଶୁଣାଣି ଚାଲିଥିବା ବେଳେ ମାନ୍ୟବର ହାଇକୋର୍ଟ ମାମଲାର ଶୁଣାଣି ଅନୁଗୁଳ ଜିଲ୍ଲା ଦୌରାଜଜ୍ କୋର୍ଟକୁ ସ୍ଥାନାନ୍ତର କରିଥିଲେ । ୨୦୧୯ ଜୁଲାଇ ମାସରୁ ଏହି ମାମଲାର ଶୁଣାଣି ଅନୁଗୁଳରେ ଚାଲିଥିଲା । ଏଠାରେ ୫ ଜଣଙ୍କଠାରୁ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା । ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଜିଲ୍ଲା ଦୌରାଜଜ୍ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ମୁକେଶକୁ ଦୋଷୀ ସାବ୍ୟସ୍ତ କରି ଉପରୋକ୍ତ ରାୟ ଶୁଣାଇଛନ୍ତି । ସରକାରଙ୍କ ପକ୍ଷରୁ ପବ୍ଲିକ୍ ପ୍ରୋସିକ୍ୟୁଟର ପ୍ରଦୀପ କୁମାର ଦାସ ଏହି ମାମଲା ପରିଚାଳନା କରୁଥିଲେ । ଅତିରିକ୍ତ ପିପି ପ୍ରଦୀପ କୁମାର ଭୂତିଆ ତାଙ୍କୁ ମାମଲା ପରିଚାଳନାରେ ସହଯୋଗ କରିଥିଲେ ।

online coaching

Leave A Reply

Your email address will not be published.