ଅନୁଗୁଳ: ଜାତୀୟ କ୍ରୀଡା ଦିବସରେ ଜିଲ୍ଲା ପ୍ରଶାସନ ଶୋଇ ପଡିଥିବାବେଳେ ଗୁରୁ ଶିଷ୍ୟ ମାନକୁ ଡାକି ସମ୍ବର୍ଦ୍ଧିତ କରିବା ବେଶ ଚର୍ଚ୍ଚାର ବିଷୟ ହୋଇଛି। ହକି ଯାଦୁକର ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଦିବସକୁ ଆମ ଦେଶରେ ଜାତୀୟ କ୍ରୀଡା ଦିବସ ରୂପେ ପାଳନ କରାଯାଏ। ଅନେକ କ୍ଷେତ୍ରରେ ଅନଗୁଳ ଜିଲ୍ଲାର ବିକାଶ ହୋଇଥିଲେ ମଧ୍ୟ କ୍ରୀଡା କ୍ଷେତ୍ରରେ ବେଶ ପଛୁଆ। ରାଜନୈତିକ ଇଛା ଶକ୍ତିର ଅଭାବ,ପ୍ରଶାସନର ଉଦାସୀନତା ହେତୁ ଜିଲ୍ଲାରେ କ୍ରୀଡାର ଅଧଃପତନ ଦେଖିବାକୁ ମିଳୁଛି। ଭିତ୍ତିଭୂମିର ଅଭାବ, ଭଙ୍ଗାରୁଜା ଷ୍ଟାଡିୟମ, ଖେଳପଡ଼ିଆର ଅଭାବ,ବିଭିନ୍ନ କ୍ରୀଡା ପାଇଁ କୋଚଙ୍କ ଅଭାବ, ଟୁର୍ଣ୍ଣାମେଂଟ ଆୟୋଜନ ନହେବା ଏବଂ କ୍ରୀଡା ପ୍ରତିଭାଙ୍କୁ ପ୍ରୋତ୍ସାହନ ନମିଳିବା କାରଣରୁ ଏହି ଦୁର୍ଦଶା ଦେଖିବାକୁ ମିଳିଛି।କ୍ରୀଡା ଦିବସରେ ପାଞ୍ଚ ଦଶଟି ଲୋକ ନେଇ ବିଭାଗ ପକ୍ଷରୁ ଧ୍ୟାନଚାନ୍ଦ ଙ୍କ ଫଟୋରେ ମାଲ୍ୟାର୍ପଣ କରି ଦାୟିତ୍ୱ ସାରିଦେଇଥିବା ବେଳେ ଅନୁଗୁଳରେ ୱାକିଂ ଇଭେଣ୍ଟର ଦ୍ରୋଣାଚାର୍ଯ୍ୟ କୁହାଯାଉଥିବା ନୀଳମଣି ଦାସ ନିଜର ଶିଷ୍ୟ ଗୋବିନ୍ଦ ପାଣ୍ଡେ ଓ ପୂଜା ପରିଡାଙ୍କୁ ବ୍ୟକ୍ତିଗତ ଭାବେ ସମ୍ବର୍ଦ୍ଧିତ କରିଥିଲେ। ପ୍ରକାଶ ଯୋଗ୍ୟ, ଏହି ଦୁଇ ଖେଳାଳୀ ୱାକିଂରେ ଜିଲ୍ଲାରୁ ପ୍ରତିନିଧିତ୍ଵ କରି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଅନୁଗୁଳ ଜିଲ୍ଲାରେ କ୍ରୀଡା ପ୍ରତି ଅଧିକ ଦୃଷ୍ଟି ଦେବାକୁ କ୍ରୀଡ଼ାପ୍ରେମୀ ମତପ୍ରକାଶ କରିଛନ୍ତି।
କ୍ରୀଡା ଦିବସରେ ଶିଷ୍ୟଙ୍କୁ ସମ୍ବର୍ଦ୍ଧିତ କଲେ ଗୁରୁ
- Post published:August 29, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik

Tags: Angul