ଅନୁଗୁଳ: ଅନୁଗୁଳ ସହର ନିକଟବର୍ତ୍ତୀ ତୁରଙ୍ଗ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି। ସାଧାରଣତଃ ଶିକ୍ଷାଦାନ ସମୟରେ ବିଦ୍ୟାଳୟ ପରିସର ସମସ୍ତଙ୍କ ପାଇଁ ଉନ୍ମୁକ୍ତ ରହିବା କଥା, କିନ୍ତୁ ଏଠାରେ ସବୁବେଳେ ସ୍କୁଲର ମୁଖ୍ୟ ଫାଟକରେ ତାଲା ପଡ଼ିଥିବା ଦେଖାଯାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ତେବେ ବିଦ୍ୟାଳୟ ଚାଲୁଥିବା ସମୟରେ ଏଭଳି ପଦକ୍ଷେପ ନେବା ପଛର କାରଣ ସମ୍ପର୍କରେ ପ୍ରଧାନ ଶିକ୍ଷକ ବିଶ୍ଵନାଥ ସାହୁ କହିଛନ୍ତି ଯେ ମଦ୍ୟପ ଓ ମାନସିକ ବିକୃତ ବ୍ୟକ୍ତିମାନେ ଅବାଧରେ ସ୍କୁଲ ପରିସର ମଧ୍ୟକୁ ପଶି ଆସୁଛନ୍ତି ଓ ସ୍କୁଲ ସମ୍ମୁଖରେ ଥିବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିର କାନ ଓ ନାକ ଭାଙ୍ଗି କ୍ଷତିଗ୍ରସ୍ତ କରିଛନ୍ତି, ଏହି କାରଣରୁ ସ୍କୁଲରେ ତାଲା ପକାଯାଇଛି।
ତାଙ୍କ କହିବାନୁଯାୟୀ, ପୂର୍ବରୁ କେହି ଦୁର୍ବୃତ୍ତ ବିଦ୍ୟାଳୟ ବଗିଚାରେ ନିଆଁ ଲଗାଇ ଦେଇଥିଲେ, ଯାହା ଶିକ୍ଷାର୍ଥୀଙ୍କ ପାଇଁ ବିପଦଜନକ ସ୍ଥିତି ସୃଷ୍ଟି କରିଥିଲା। ଏଣୁ ବିଦ୍ୟାଳୟର ସମ୍ପତ୍ତିର ସୁରକ୍ଷା ଏବଂ ପିଲାମାନଙ୍କ ନିରାପତ୍ତା ଦୃଷ୍ଟିରୁ ଆମେ ଗେଟ୍ରେ ତାଲା ପକାଇବାକୁ ବାଧ୍ୟ ହେଉଛୁ ବୋଲି ପ୍ରଧାନ ଶିକ୍ଷକ କହିଛନ୍ତି। ତେବେ ଶିକ୍ଷା ଅନୁଷ୍ଠାନ ପରିସରରେ ଏଭଳି ଅସାମାଜିକ କାର୍ଯ୍ୟକଳାପ ବଢ଼ୁଥିବାରୁ ଅଭିଭାବକ ମହଲରେ ଉଦ୍ବେଗ ପ୍ରକାଶ ପାଇଛି। ସ୍ଥାନୀୟ ପ୍ରଶାସନ ଏବଂ ପୋଲିସ ଏହି ଦିଗରେ ଦୃଷ୍ଟି ଦେଇ ବିଦ୍ୟାଳୟର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ଦାବି ହେଉଛି।


