ଅନୁଗୁଳ: ସତ ମାନିଲେ ମନ୍ତ୍ରୀ। ରାଜ୍ୟରେ ଶୀତଳଭଣ୍ଡାର ନଥିବାରୁ ଚାଷୀ ଶାଗ ମାଛ ଦରରେ ଆଳୁ ବିକ୍ରି କରୁଛନ୍ତି ବୋଲି ଅନୁଗୁଳରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ବେଳେ କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।
ବିଜେଡି ସରକାରକୁ ସମାଲୋଚନା କରି ମନ୍ତ୍ରୀ କହିଛନ୍ତି, ଆମ ରାଜ୍ୟରେ ଭଲ ଆଳୁ ଉତ୍ପାଦନ ହେଉଛି। ହେଲେ ଶୀତଳଭଣ୍ଡାର ନ ଥିବାରୁ ଚାଷୀ ଶସ୍ତାରେ ଏହାକୁ ବିକୁଛନ୍ତି। ଏଥର କେଜି ପିଛା ୨ ଟଙ୍କାରେ ଆଳୁ ବିକ୍ରି ହେଲା। ଟମାଟୋ ମଧ୍ୟ ୨ ଟଙ୍କାରେ ବିକିଲେ ଚାଷୀ। ଚାଷୀମାନେ ତାଙ୍କୁ ଦୁଃଖ ଜଣାଇବା ପରେ ସେ ଏ ସଂପର୍କରେ ମୁଖ୍ୟମନ୍ତ୍ରୀ ସହ କଥା ହୋଇଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ରାଜ୍ୟର ପ୍ରତି ଉପଖଣ୍ଡରେ ଶୀତଳଭଣ୍ଡାର ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଛି। ବର୍ଷକ ଭିତରେ ଏହା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।
ସେହିପରି ରାସନ କାର୍ଡ ନେଇ ମନ୍ତ୍ରୀ କହିଛନ୍ତି, ରାସନ କାର୍ଡରେ ଆଗରୁ ବହୁ ଜାଲିଆତି ହେଉଥିଲା। ମଲା ଲୋକ ଚାଉଳ ନେଉଥିଲେ। ସେ ଆସିବା ପରେ ଏହାର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏ ଭିତରେ ୫ ଲକ୍ଷ ଭୂତ କାର୍ଡ ଧରା ପଡ଼ିଛି। ଏବେ ଆଉ ୨୦ ଲକ୍ଷ ଲୋକଙ୍କୁ ରାସନ କାର୍ଡ ପ୍ରଦାନ କରାଯାଇପାରିବ। ଏଣୁ ଯୋଗ୍ୟମାନେ ତୁରନ୍ତ ଆବେଦନ କରନ୍ତୁ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି।