ଭୁବନେଶ୍ୱର: ରାଜ୍ୟରେ ଏଚ୍ଆଇଭି ସଂକ୍ରମିତଙ୍କ ସଂଖ୍ୟା ଉପରମୁହାଁ। ୨୦୨୧-୨୨ରେ ୨୩୪୧ ଏଚ୍ଆଇଭି ରୋଗୀ ଚିହ୍ନଟ ହୋଇଥିବା ବେଳେ ୨୦୨୨-୨୩ରେ ୩୨୩୨ ଏବଂ ୨୦୨୩-୨୪ରେ ୩୪୩୬ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି।
ଡିସେମ୍ବର ୨୦୨୪ ସୁଦ୍ଧା ରାଜ୍ୟରେ ମୋଟ ୬୩,୭୪୨ ଏଚ୍ଆଇଭି ରୋଗୀ ଚିହ୍ନଟ ହୋଇଛନ୍ତି। ଅର୍ଥାତ୍ ବିଗତ ତିନି ବର୍ଷରେ ୯ ହଜାର ୯ ଜଣ ଏଚ୍ଆଇଭି ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସୋମବାର ବିଧାନସଭାରେ ବିଧାୟକ ଓମ୍ ପ୍ରକାଶ ମିଶ୍ରଙ୍କ ଅଣତାରକା ପ୍ରଶ୍ନର ଉତ୍ତରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ଏହି ତଥ୍ୟ ପ୍ରଦାନ କରିଛନ୍ତି, ଯାହା ଚିନ୍ତା ବଢ଼ାଇଛି।
ମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ, ରାଜ୍ୟରେ ଏଚ୍ଆଇଭି ସଂକ୍ରମଣ ରୋକିବା ଲାଗି ମୋଟ ୧୬୭ଟି ସ୍ୱତନ୍ତ୍ର ପରାମର୍ଶ ଓ ପରୀକ୍ଷା କେନ୍ଦ୍ର, ୭ଟି ବେସରକାରୀ ସହଭାଗିତା କେନ୍ଦ୍ର ଓ ୧୨୩୨ଟି ସୁବିଧା ପରାମର୍ଶ ଓ ପରୀକ୍ଷା କେନ୍ଦ୍ର କାର୍ଯ୍ୟକାରୀ କରୁଛି। ସଂକ୍ରମିତ ରୋଗୀଙ୍କ ଚିକିତ୍ସା ତଥା ସଂକ୍ରମଣ ହାରକୁ ପ୍ରଶମିତ କରିବା ପାଇଁ ମୋଟ ୨୦ଟି ଆର୍ଟ କେନ୍ଦ୍ର, ୧୭ଟି ଲିଙ୍କ୍ ଆର୍ଟ ତଥା ୧୨ଟି ଗୋଷ୍ଠୀ ସେବା କେନ୍ଦ୍ର କାର୍ଯ୍ୟ କରୁଛି।