ଦୁଃଖ ଦେଇଗଲା କାଳବୈଶାଖୀ:କାହାର ଗଛ ଭାଙ୍ଗିଲା ତ ଆଉ କାହାର ଉଡ଼ିଗଲା ଛପର

You are currently viewing ଦୁଃଖ ଦେଇଗଲା କାଳବୈଶାଖୀ:କାହାର ଗଛ ଭାଙ୍ଗିଲା ତ ଆଉ କାହାର ଉଡ଼ିଗଲା ଛପର

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଉପଖଣ୍ଡରେ ଶନିବାର ସନ୍ଧ୍ୟାରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଭୀଷଣ ବର୍ଷା ପବନ ଯୋଗୁ ବଡ଼ସଡ଼ା ଓ ଖମାର ପଞ୍ଚାୟତର ଏକାଧିକ ଘରର ଚାଳ ଏବଂ ଆଜ୍‌ବେଷ୍ଟସ୍‌ ଛପର ଉଡ଼ିଯାଇଛି ଓ ଗଛ ପଡି ସତୁରିରୁ ଅଧିକ ଘର ଭାଙ୍ଗିଛି। ସେହିପରି ଅନେକ ସ୍ଥାନରେ ବିଦ୍ୟୁତ୍ ତାର ଛିଡ଼ି ବିଦ୍ୟୁତ ସରବରାହ ବନ୍ଦ ରହିଥିଲା।

ବର୍ଷା ଓ କୁଆପଥର ମାଡ଼ରେ ସାନସଡ଼ା ଅଞ୍ଚଳର ନବୀନ ସାହୁ, ବନମାଳି ପ୍ରଧାନ, ପଳଉ ପେଣ୍ଠୋଇଙ୍କ ଘର ଭାଙ୍ଗି ଯାଇଥିବା ବେଳେ ମୁଣ୍ଡରେ ଆଘାତ ଲାଗିବାରୁ ତିନି ଜଣ ଖମାର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସେହିପରି ଖମାର ଅଞ୍ଚଳର ଘନଶ୍ୟାମ ସେଠୀ, ବାସୁଦେବ ସେଠୀ, ଦିଲେଶ୍ଵର ସେଠୀଙ୍କ ଘର ବ୍ୟାପକ କ୍ଷତି ହୋଇଥିବା ଦେଖିବାକୁ ମିଳିଥିଲା। ପାଳଲହଡ଼ା ପ୍ରଶାସନ ପକ୍ଷରୁ ରାଜସ୍ୱ ନିରୀକ୍ଷକ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ଯ କେବଳ ଶୋଇବା ଘର ୨୫% ରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲେ ସରକାରୀ ସହାୟତା ମିଳିବ ବୋଲି କହିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଥିଲେ।

ଅନ୍ୟପଟେ ରବିବାର ଏବଂ ସୋମବାର ସରକାରୀ କାର୍ଯ୍ୟାଳୟ ବନ୍ଦ ଥିବାରୁ ଉପଖଣ୍ଡ ପ୍ରଶାସନ ସହ ଗ୍ରାମବାସୀ ଯୋଗାଯୋଗ କରିପାରି ନଥିବା ସୂଚନା ମିଳିଛି।

Share

Leave a Reply