ଅନୁଗୁଳ ମହୋତ୍ସବର ତୃତୀୟ ଦିବସ: ଆଜି ଅଭିଜିତ୍‌ ମଜୁମ୍‌ଦାରଙ୍କ ସହ ଝୁମାଇବାକୁ ଆସୁଛନ୍ତି ବଲିଉଡ୍‌ ସିଙ୍ଗର ସନ୍‌ମୁଖପ୍ରିୟା

You are currently viewing ଅନୁଗୁଳ ମହୋତ୍ସବର ତୃତୀୟ ଦିବସ: ଆଜି ଅଭିଜିତ୍‌ ମଜୁମ୍‌ଦାରଙ୍କ ସହ ଝୁମାଇବାକୁ ଆସୁଛନ୍ତି ବଲିଉଡ୍‌ ସିଙ୍ଗର ସନ୍‌ମୁଖପ୍ରିୟା

ଅନୁଗୁଳ: ଦୀର୍ଘ ୨ ଦିନ ଧରି ସହରରେ ଚାଲିଥିବା ନାଚଗୀତର ଆସର ଆଜି ଶେଷ ହେଉଛି। ଆଜି ଅନୁଗୁଳ ମହୋତ୍ସବର ତୃତୀୟ ତଥା ଉଦ୍‌ଯାପନୀ ଦିବସ। ଶେଷ ଦିବସରେ ଅନୁଗୁଳବାସୀଙ୍କୁ ଝୁମାଇବାକୁ ଆସୁଛନ୍ତି ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣାଶୁଣା ସଂଗୀତକାର ତଥା କଣ୍ଠଶିଳ୍ପୀ ଅଭିଜିତ୍‌ ମଜୁମ୍‌ଦାର। ତାଙ୍କ ଗୀତରେ ଭିଜିବାକୁ ସହର ବାସୀ ଚାହିଁ ବସିଛନ୍ତି। ସେହିପରି ସନ୍ଧ୍ୟାକୁ ଆହୁରି ମନୋରମ କରିବାକୁ ଆସୁଛନ୍ତି ବଲିଉଡ୍‌ କଣ୍ଠଶିଳ୍ପୀ ସନ୍‌ମୁଖପ୍ରିୟା। ଇଣ୍ଡିଆନ୍‌ ଆଇଡଲ୍‌ ଫେମ୍‌ ସନ୍‌ମୁଖପ୍ରିୟାଙ୍କ ସଂଗୀତର ତାଳେ ତାଳେ ଆଜି ଶେଷ ସନ୍ଧ୍ୟାକୁ ମନଭରି ଉପଭୋଗ କରିବେ ସହରବାସୀ।

ସେହିପରି ଆଜିର ଅନ୍ୟତମ ପ୍ରମୁଖ ଚେହେରା ହେଉଛନ୍ତି ଓଡ଼ିଆ ରାପର ବିଗ୍‌ ଡିଲ୍‌। ଓଡ଼ିଆ ରାପ୍‌ର ବିଗ୍‌ ଡିଲ୍‌ ନିଜ ନିଆରା ରାପ୍‌ ଯୋଗୁ କେବଳ ଓଡ଼ିଶା ନୁହେଁ, ରାଜ୍ୟ ବାହାରେ ବି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଆଜି ତାଙ୍କୁ ଅତି ପାଖରୁ ଦେଖିବାକୁ ଅପେକ୍ଷା କରି ରହିଛନ୍ତି ସହରବାସୀ। ଆଜିର ଶେଷ ତଥା ଉଦ୍‌ଯାପନୀ ସନ୍ଧ୍ୟା ପୂର୍ବ ଦୁଇ ଦିନ ଅପେକ୍ଷା ଅଧିକ ମନୋରଞ୍ଜନର ଖୋରାକ୍‌ ଯୋଗାଇବ।

ସୂଚନାଯୋଗ୍ୟ ଯେ ଗତକାଲି ଅନୁଗୁଳ ମହୋତ୍ସବର ଦ୍ୱିତୀୟ ଦିନରେ ଭରପୂର ମଜା ଉଠାଇଥିଲେ ସହରବାସୀ। ଦ୍ୱିତୀୟ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ସଚେତ୍‌-ପରମ୍ପରା ଯୋଡ଼ି ଶନିବାର ସନ୍ଧ୍ୟାରେ ପଲ୍‌ ପଲ୍‌ ଦିଲ୍‌ କେ ପାସ୍‌, ମେରେ ରସ୍‌କେ କମର, ୟେ ଦୋସ୍ତି ହମ୍‌ ନେହିଁ ତୋଡ଼େଙ୍ଗେ ଗୀତର ତାଳେ ତାଳେ ଦର୍ଶକଙ୍କ ମନ ମୋହିଥିଲେ। ସେମାନଙ୍କ ରଙ୍ଗବତୀ ଗୀତରେ ପୂରା ଷ୍ଟାଡିୟମ୍‌ ଝୁମିଥିବା ଦେଖିବାକୁ ମିଳିଥିଲା।

ଅନୁଗୁଳବାସୀ ମହୋତ୍ସବ ସହ ପଲ୍ଲିଶ୍ରୀ ମେଳାର ବି ଭରପୂର ମଜା ନେଉଥିବା ଦେଖିବାକୁ ମିଳିଛି। ଗୃହିଣୀମାନେ ମେଳାରୁ ଭଳି ଭଳି କି ଜିନିଷ ସହ ମସଲା, ଆଚାର, ଘର କରଣା ସାମଗ୍ରୀ କିଣୁଥିବା ଦେଖିବାକୁ ମିଳିଛି। ସେହିପରି ଯୁବକ ଯୁବତୀ ବିଭିନ୍ନ ପ୍ରକାରର ଖାଇବାର ମଜା ନେଉଛନ୍ତି। ଅନ୍ୟପଟେ ବ୍ୟବସାୟୀମାନେ ବି କରୋନା ପରେ ଭଲ ବେପାର କରିଥିବାରୁ ଖୁସି ଥିବା କହିଛନ୍ତି। ପ୍ରଶାସନ ପକ୍ଷରୁ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳାର ଆୟୋଜନ ଲୋକଙ୍କୁ ପସନ୍ଦ ଆସିଥିବା ଜଣାଯାଇଛି।

Share

Leave a Reply