ତାଳଚେରରେ ୨ଟି କେନ୍ଦ୍ରୀୟ ବିଦ୍ୟାଳୟର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

You are currently viewing ତାଳଚେରରେ ୨ଟି କେନ୍ଦ୍ରୀୟ ବିଦ୍ୟାଳୟର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ଅନୁଗୁଳ: ଯାହା ବି ହେଇଯାଉ କିନ୍ତୁ ତାଳଚେରର ବିକାଶ କାର୍ଯ୍ୟ ବାଧାପ୍ରାପ୍ତ ହେବା ଅନୁଚିତ୍ ବୋଲି ଗୁରୁବାର ତାଳଚେରରେ ଦୁଇଟି କେନ୍ଦ୍ରୀୟ ବିଦ୍ୟାଳୟର ଶୁଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ରଥଯାତ୍ରାର ଦିନକ ପୂର୍ବରୁ ଶୈଳ ଶ୍ରୀକ୍ଷେତ୍ର ତାଳଚେର ସ୍ଥିତ ଜଗନ୍ନାଥ ଏରିଆ ଓ ସୁଭଦ୍ରା ଏରିଆ ଠାରେ ମହାନଦୀ କୋଲ ଫିଲଡ(ଏମସିଏଲ)ର ଗୋଟିଏ ଲେଖାଏଁ କେନ୍ଦ୍ରୀୟ ବିଦ୍ୟାଳୟର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ମନ୍ତ୍ରୀ। ଏଥିସହ ଜଗନ୍ନାଥ ଏରିଆରେ ଗୋଟିଏ କେଭିର ନୂତନ ସ୍ଥାୟୀ ଗୃହ ନିର୍ମାଣ ପାଇଁ ଭୂମିପୂଜନ ମଧ୍ୟ କରିଛନ୍ତି। ଏ ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ତାଳଚେରର କୋଇଲା ଦ୍ୱାରା କେବଳ ଓଡ଼ିଶା ନୁହେଁ ବରଂ ସମଗ୍ର ଭାରତବର୍ଷର ଲୋକମାନେ ଉପକୃତ ହେଉଛନ୍ତି। କିନ୍ତୁ ଏଠାରେ ବେଳେ ବେଳେ ପ୍ରତିବାଦ କରାଯିବା ବେଳେ କୋଇଲା ଖଣି ଓ କଳକାରଖାନାକୁ ବନ୍ଦ ରଖାଯିବା ଚିନ୍ତାଜନକ। ଏହା ଦ୍ଵାରା ଶ୍ରମିକ ଓ କର୍ମଚାରୀମାନଙ୍କ ଦରମା ପ୍ରଭାବିତ ହୋଇଥାଏ। ଏଭଳି ହେଲେ ତାଳଚେର ଅଞ୍ଚଳ ଶ୍ରୀହୀନ ହେବାର ଆଶଙ୍କା ରହିଛି। ତେଣୁ ଦେଶର ହିତ ପାଇଁ ପ୍ରତିବାଦ ନ କରିବା ପାଇଁ ସବୁ ରାଜନୈତିକ ଦଳ ଓ ସଂଗଠନକୁ ପରାମର୍ଶ ଦେଇଛନ୍ତି ଶ୍ରୀ ପ୍ରଧାନ। ସେ କହିଛନ୍ତି ମୋତେ ଗାଳି କରିପାର କିନ୍ତୁ ସମସ୍ତେ ବିକାଶରେ ବାଧା ଦେବା ଅନୁଚିତ୍ । ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖିବା ଉଚିତ୍ । ପ୍ରତିବାଦ ସମୟରେ ସାମୟିକ ଭାବେ ଏଠାକାର କୋଇଲା ଖଣି ଓ କଳକାରଖାନା ବନ୍ଦ କରାଯିବା ଅନୁଚିତ୍ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି। ଏ ଅବସରରେ ସେ ପ୍ରଧାନମନ୍ତ୍ରୀ ମୋଦି, କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଶ୍ରୀ ଯୋଶୀ, କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଦେଇଛନ୍ତି।

Share

Leave a Reply