ଅନୁଗୁଳ: ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ରଞ୍ଜାଗୋଳ ଗ୍ରାମର ଦେବକାନ୍ତ ପ୍ରଧାନ ଓରଫ ହିତୁ (୪୨) କୋଭିଡ୍ ସଂକ୍ରମିତ ହୋଇ ଏବେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ରହିଛନ୍ତି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ରେ ସେ ମାସାଧିକ କାଳ ଚିକିତ୍ସିତ ହେବା ସହ ଏକମୋ ସର୍ପୋଟ୍ରେ ରହିଥିଲେ। ତାଙ୍କର ଚିକିତ୍ସାରେ ୪୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହୋଇ ସାରିଲାଣି । ସ୍ବାସ୍ଥ୍ୟ ଅବସ୍ଥାରେ ତାଙ୍କର କୌଣସି ଉନ୍ନତି ପରିଲକ୍ଷିତ ନହେବାରୁ ଉନ୍ନତମାନର ଚିକିତ୍ସା ନିମନ୍ତେ ଗତ ଶନିବାର ତାଙ୍କୁ ଏୟାର୍ ଆମ୍ବୁଲାନ୍ସରେ ଚେନ୍ନାଇ ନିଆଯାଇଛି। ସେଠାରେ ମହାତ୍ମା ଗାନ୍ଧୀ ମେମୋରିଆଲ ହସ୍ପିଟାଲ୍(ଏମ୍ଜିଏମ୍ )ରେ ତାଙ୍କର ଚିକିତ୍ସା ଜାରି ରହିଛି। ଚିକିତ୍ସା ନିମନ୍ତେ ଦୈନିକ ପ୍ରାୟ ୨ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ଜଣାଯାଇଛି । ଦେବକାନ୍ତ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ । ବାପା କେଉଁଦିନୁ ପରପାରିକୁ ଚାଲି ଯାଇଛନ୍ତି। ରୋଗାକ୍ରାନ୍ତ ବୃଦ୍ଧା ମା’, ୮ ବର୍ଷର ପୁଅ ଓ ପତ୍ନୀଙ୍କୁ ନେଇ ତାଙ୍କ ସଂସାର । ଧାରକରଜ କରି ତାଙ୍କ ଚିକିତ୍ସା ପରିବାର ଲୋକେ ଜାରି ରଖିଛନ୍ତି । ଚିକିତ୍ସା ନିମନ୍ତେ ବିପୁଳ ପରିମାଣର ଟଙ୍କା ଆବଶ୍ୟକ ପଡୁଥିବା ବେଳେ ପରିବାର ଲୋକ ଏବେ ନିଃସ୍ଵ ହୋଇଯାଇଛନ୍ତି। ସହୃଦୟ ବ୍ୟକ୍ତିମାନେ ସହାୟତାର ହାତ ବଢ଼ାଇବାକୁ ଆକୁଳ ନିବେଦନ କରିଛନ୍ତି ଦେବକାନ୍ତଙ୍କ ପତ୍ନୀ। ସହଯୋଗ ଅର୍ଥରେ ଦେବକାନ୍ତ ସୁସ୍ଥ ହୋଇ ଘରକୁ ଫେରିବା ସହ ତାଙ୍କ ସଂସାର ପୁଣି ଖୁସିରେ ପୂରି ଉଠିବ ବୋଲି ସେ ଆଶା ରଖିଛନ୍ତି। ଦେବକାନ୍ତଙ୍କୁ ସହଯୋଗ କରିବାକୁ ଚାହୁଁଥିବା ବ୍ୟକ୍ତି ତାଙ୍କ ଭଣଜା ଶୋଭନଜିତ୍ ବିଶ୍ବାଳଙ୍କ ଗୁଗୁଲ ପେ ନଂ. ୮୩୩୮୦୧୮୦୬୬ ସହାୟତା ରାଶି ପଠାଇବାକୁ ପତ୍ନୀ ଓ ପରିବାର ଲୋକେ ନିବେଦନ କରିଛନ୍ତି ।
ସହାୟତାର ହାତ ବଢ଼ାଇବାକୁ ଆକୁଳ ନିବେଦନ କଲେ ପତ୍ନୀ
- Post published:July 23, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Sanjeeb Biswal
