ଅନୁଗୁଳ: ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ଦକ୍ଷିଣ ଦ୍ୱାର ବା ଭୋଗ ଦ୍ୱାରର ତାଲା ଭାଙ୍ଗି ଗୁରୁବାର ବିଳମ୍ବିତ ରାତିରେ ଚୋର ମାନେ ମନ୍ଦିର ଭିତରେ ଥିବ ହୁଣ୍ଡି ତାଡି ଟଙ୍କା ପଇସା ନେଇଯାଇଛନ୍ତି। ଏହା ଛଡା ସେମାନେ ଠାକୁରଙ୍କ ସିଂହାସନ ଉପରେ ଚଢି ଶ୍ରୀଜୀଉ ମାନଙ୍କ ମଥାରେ ଲାଗୁଥିବା ବହୁମୂଲ୍ୟ ଚିତା ଅଳଙ୍କାର ଗୁଡିକୁ ନେଇଯାଇଛନ୍ତି। ଏହି ଅଳଙ୍କାରର ମୂଲ୍ୟ ଲକ୍ଷା ଧିକ ଟଙ୍କା ହେବ। ଚୋର ମାନେ ମନ୍ଦିର ପରିସରରେ ଅନ୍ୟ କେତେକ ପ୍ରକୋଷ୍ଠର ତାଲା ଭାଙ୍ଗିଥିଲେ ମଧ୍ୟ ମୂଲ୍ୟବାନ ଜିନିଷ ନପାଇ ପଳାଇଛନ୍ତି। ବଡି ଭୋର ସମୟରେ ପହୁଡ଼ ଫିଟା ବେଳେ ପୂଜକ ମାନେ ଭୋଗ ଦ୍ୱାରର ତାଲା ଭଙ୍ଗା ଯାଇଥିବା ଦେଖିଥିଲେ।
ଏହାପରେ ମନ୍ଦିର ପରିଚାଳନା କମିଟି ସମ୍ପାଦକଙ୍କ ସମେତ ଅନ୍ୟ ଅଧିକାରୀ ମାନେ ଆସି ପହଞ୍ଚି ଥିଲେ। ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ଏସପି ରାହୁଲ ଜୈନଙ୍କ ସମେତ ଅନ୍ୟ ପୋଲିସ ଅଧିକାରୀ ମାନେ ମନ୍ଦିରର ଚାରିପଟକୁ ତନ୍ନ ତନ୍ନ କରି ଯାଞ୍ଚ କରିଥିଲେ। ଜଗନ୍ନାଥ ମନ୍ଦିରର ୨୩ ବର୍ଷ ଇତିହାସରେ ଏଭଳି ଘଟଣା ପ୍ରଥମ ବୋଲି କୁହାଯାଉଛି। ପ୍ରତିଦିନ ରାତି ୯ ଟା ସମୟରେ ଠାକୁରଙ୍କ ପହୁଡ ପରେ ଦୁଇଜଣ ସେବାକାରୀଙ୍କ ଉପସ୍ଥିତିରେ ତାଲା ପଡେ। ଗୁରୁବାର ଜଣେ ଛୁଟିରେ ଥିବାରୁ ଜଣେ ପୂଜକ ତାଲା ପକାଇଥିଲେ।
ଏଣେ ମନ୍ଦିରରର ଢିଲା ନିରାପତ୍ତା ସାଙ୍ଗକୁ ସିସିଟିଭି ଗତ ତିନି ବର୍ଷ ଧରି ଅଚଳଥିବା ହେତୁ ଏଭଳି ଘଟଣା ଘଟିଲା ବୋଲି ଅଭିଯୋଗ କରି ଜଗନ୍ନାଥ ସେନାର ସଦସ୍ୟ ମାନେ ମନ୍ଦିର ସମ୍ମୁଖରେ ଧାରଣାରେ ବସିଯାଇଥିଲେ। ଚୋରମାନଙ୍କୁ ତୁରନ୍ତ ଧରିବା, ମନ୍ଦିର ପରିଚାଳନାରେ ଅବହେଳା, ଏବଂ କମିଟି ଭାଙ୍ଗି ନୂଆ କମିଟି କରିବା ଦାବିରେ ସେନା ଧାରଣା ଦେଇଥିଲା। ପୋଲିସ ବୁଝା ସୁଝା କରିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଚୋରି ପାଇଁ ଆଜି ଦୁଇଘଣ୍ଟା ନୀତି ବିଳମ୍ବ ହୋଇଥିଲା।
ଏଣେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଥିଲା। ମନ୍ଦିରର ପତିତପାବନ ବାନା ସକାଳର ଶୀତୁଆ ପବନରେ ମଧ୍ୟ ଉଡୁନଥିବା ଦେଖିବାକୁ ମିଳିଥିଲା। ଯାହା ଜଣାପଡୁଛି ଚୋର ମନେବକିଛି ଦିନ ଆଗରୁ ମନ୍ଦିର ବାବଦରେ ସମସ୍ତ ତଥ୍ୟ ନେବା ସହ ପୂର୍ବ ଯୋଜନା ମୁତାବକ ଚୋରି କରିଛନ୍ତି। ଅନୁଗୁଳ ପୋଲିସ ପାଇଁ ଏହି ଚୋରି ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି।