ବଅଁରପାଳ: ନାଲକୋ କଲୋନୀରେ ପୁଣି କଳାକନା ବୁଲାଇଲେ ଦୁର୍ବୃତ୍ତ। ଗତ ବିଳମ୍ବିତ ରାତିରେ ନାଲକୋ କଲୋନୀ (ବି – ୧୦୦୧)ରେ ରହୁଥିବା ଦିଲ୍ଲୀ ପବ୍ଲିକ ସ୍କୁଲର ଶିକ୍ଷକ ରାଧାମାଧବ ଦାଶଙ୍କ ଘରୁ ଦୁର୍ବୃତ୍ତମାନେ କଳା କନା ବୁଲାଇଛନ୍ତି। ଘରର କବାଟ ଭାଙ୍ଗି ସୁନା ହାର, ଚୁଡ଼ି, କାନ ଫୁଲ, ନାକ ଫୁଲ, ମୁଦି, ପାଉଁଜି, ଟଙ୍କା ନେଇ ଯାଇଛନ୍ତି।
ସୂଚନା ମୁତାବକ, ରାଧାମାଧବ ଏବଂ ତାଙ୍କ ଧର୍ମପତ୍ନୀ ସଂଘମିତ୍ରା ଶିବରାତ୍ରି ପୂଜା ପାଇଁ ମନ୍ଦିରକୁ ଯାଇଥିବା ବେଳେ ଏହି ଚୋରି ହୋଇଛି। ଖବର ପାଇ ପୋଲିସ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ ସହ ପହଞ୍ଚି ଛାନଭିନ୍ କରି ଫେରିଯାଇଛି।
ସେହିପରି ନାଲକୋ ଥାନା କୁଲାଡ଼ ଗ୍ରାମର ପଦ୍ମିନୀ ଧୀରଙ୍କ ବାସ ଭବନରୁ ଚୋରି ହୋଇଥିବା ନାଲକୋ ଥାନାରେ ଲିଖିତ ଅଭିଯୋଗ ହୋଇଛି। ସେ ମଧ୍ୟ ଶିବ ପୂଜା ପାଇଁ ଯାଇଥିବା ବେଳେ ଘର ତାଲା ଭାଙ୍ଗି କେହି ଆଲମିରା ତାଡି ୨ ଟି ସୁନା ମୁଦି, ୨ ଟି ରୁପା ଗୋଡ଼ ମୁଦି, ପାଉଁଜି ଓ ଟଙ୍କା ଚୋରି କରି ନେଇଯାଇଛି। ଏ ନେଇ ପରିବାର ପକ୍ଷରୁ ନାଲକୋ ଥାନାରେ ଲିଖିତ ଅଭିଯୋଗ ହୋଇଛି। ତେବେ ଏହି ଦୁଇ ଘଟଣା ପରେ ନାଲକୋ ପୋଲିସର କାର୍ଯ୍ୟ ଦକ୍ଷତା ଉପରେ ସ୍ଥାନୀୟ ଲୋକ ପ୍ରଶ୍ନ ଉଠାଇଛନ୍ତି।