ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ନଗର କଲୋନୀ ମଧ୍ୟରେ ଥିବା ତାରିଣୀ ମନ୍ଦିର ହୁଣ୍ଡିରୁ ଚୋରି କରୁଥିବା ବେଳେ ଦୁଇ ଜଣଙ୍କୁ ଧରିଛନ୍ତି ସୁରକ୍ଷା କର୍ମୀ। ଦୁଇ ଯୁବକଙ୍କୁ ଅଟକ ରଖି ପୋଲିସ ଜିମା ଦେଇଛନ୍ତି କରନ ସିଂ ସୁରକ୍ଷା ସଂସ୍ଥାର ସୁରକ୍ଷା କର୍ମୀ।
ସୂଚନା ମୁତାବକ, ଶନିବାର ରାତି ପ୍ରାୟ ୧ଟା ବେଳେ ନାଲକୋ କଲୋନୀର ସୁରକ୍ଷା କର୍ମୀ ଦୁଇ ଯୁବକଙ୍କୁ ମନ୍ଦିର ନିକଟରେ ଦେଖିଥିଲେ। ସନ୍ଦେହ ହେବାରୁ ସୁରକ୍ଷାକର୍ମୀ ସେମାନଙ୍କ ପରିଚୟ ପଚାରିଥିଲେ। କିନ୍ତୁ ସେମାନେ ସନ୍ତୋଷ ଜନକ ଉତ୍ତର ଦେଇ ନ ପାରିବାରୁ ସୁରକ୍ଷା କର୍ମୀ ସେମାନଙ୍କର ତନଖି କରିଥିଲେ। ସେମାନଙ୍କ ନିକଟରୁ ଏକ କଟୁରୀ ସହ ଏକ ଲୁହା କାଟିବା ଆରି ମିଳିଥିଲା। ଭୟରେ ଉଭୟେ ଚୋରି କରିବାକୁ ଆସିଥିବା ମାନିଥିଲେ। ପରେ ସୁରକ୍ଷାକର୍ମୀ ତାଙ୍କୁ ପୋଲିସ ଜିମା ଦେଇଛନ୍ତି।
ଦୁଇ ଯୁବକ ହେଲେ ପ୍ରଦ୍ୟୁମ୍ନ ପଣ୍ଡା (୨୫) ଓ ଜଣେ ୧୬ ବର୍ଷର ନାବାଳକ। ତାଙ୍କ ନିକଟରୁ ହୁଣ୍ଡିରୁ ଚୋରି କରିଥିବା ନଗଦ ୬୫୫୫ ଟଙ୍କା ଓ ଚୋରି କାର୍ଯ୍ୟରେ ବ୍ୟବହୃତ ଏକ ସ୍କୁଟି ଜବତ ହୋଇଛି।















