ନାଲକୋ ରେଳପଥ: ଏବେ ମରଣଯନ୍ତା, ମୃତ୍ୟୁକୁ ଆମନ୍ତ୍ରଣ କରୁଛି ଟ୍ରେନ୍‌ ଚଳାଚଳ

You are currently viewing ନାଲକୋ ରେଳପଥ: ଏବେ ମରଣଯନ୍ତା, ମୃତ୍ୟୁକୁ ଆମନ୍ତ୍ରଣ କରୁଛି ଟ୍ରେନ୍‌ ଚଳାଚଳ

ଅନୁଗୁଳ : ରେଳ ଫାଟକ ନାହିଁ, କିନ୍ତୁ ଦିନରାତି ଗଡ଼ୁଛି ଟ୍ରେନ୍‌। ନାଲକୋର ଏହି ବଡ଼ ଅବହେଳାର ପରିଣାମ ଭୋଗୁଛନ୍ତି ନାଲକୋବାସୀ। ବଅଁରପାଳ ବ୍ଲକ ଅନ୍ତର୍ଗତ ବନ୍ଦା ଗ୍ରାମ ସମେତ ପାଖାପାଖି ୪-୫ଟି ପଞ୍ଚାୟତକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଉପରେ ନାଲକୋର ନିଜସ୍ୱ ରେଳପଥ ରହିଛି।

ଏହି ଟ୍ରାକ ଦେଇ ଦିନରାତି କୋଇଲା ଓ ଅନ୍ୟାନ୍ୟ ସାମଗ୍ରୀ ପରିବହନ ହେଉଥିଲେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ଶୂନ। ନାଲକୋର ଏହି ରେଳ ଲାଇନ୍‌ ଯୋଗୁଁ ଗୋତମରା, ବଳରାମ ପ୍ରସାଦ, ଭୋଗବେରଣି, ପିଙ୍ଗୁଆ, ତେଣ୍ଟୋଲୋଇ, କୁକୁଡ଼ାଙ୍ଗ ଓ ଗୋବରା ଗ୍ରାମବାସୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଫାଟକ ନଥିବା କିମ୍ବା ଥିବା ଫାଟକ ଅଚଳ ହୋଇ ପଡ଼ିଥିବା ଯୋଗୁଁ ପୂର୍ବରୁ ଅନେକ ବଡ଼ ବଡ଼ ଦୁର୍ଘଟଣା ଘଟି ସାରିଛି। ତଥାପି ନାଲକୋ ପ୍ରଶାସନ ଶୋଇ ରହିଛି।

ସ୍ଥାନୀୟ ଲୋକେ ଦୁଇ ଦୁଇଥର ଲିଖିତ ଅଭିଯୋଗ କରିବା ସତ୍ତ୍ୱେ ପ୍ରଶାସନ ଏହାକୁ ଗମ୍ଭୀରତାର ସହ ନେଉନାହିଁ। ବିନା ଫାଟକ ଓ ସୁରକ୍ଷା ପ୍ରହରୀରେ ଟ୍ରେନ୍‌ ଚଳାଚଳ କରୁଥିବାରୁ ସାଧାରଣ ଯାତ୍ରୀମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି।

ପ୍ରଶ୍ନ ଉଠୁଛି, ଆଉ କେତେ ନିର୍ଦ୍ଦୋଷ ଜୀବନ ଗଲେ ନାଲକୋ ପ୍ରଶାସନର ଚେତା ପଶିବ? ଲୋକଙ୍କ ସୁରକ୍ଷା ପ୍ରତି ନାଲକୋ ଏତେ ଅସମ୍ବେଦନଶୀଳ କାହିଁକି? ଯଦି ତୁରନ୍ତ ରେଳ ଫାଟକ ନିର୍ମାଣ ଓ ସୁରକ୍ଷା ପ୍ରହରୀ ନିୟୋଜିତ ନକରାଯାଏ, ତେବେ ଆଗାମୀ ଦିନରେ ଏହା ଏକ ବଡ଼ ଜନ ଆନ୍ଦୋଳନର ରୂପ ନେବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।

Share

Leave a Reply