ଅନୁଗୁଳ: ପିଏମପି ମେଡିକାଲ କଲେଜ, ତାଳଚେର, ଅନୁଗୁଳ ଖୋଲିବା ପରେ ଅନୁଗୁଳରେ ନୂତନ ଟ୍ରମା କେୟାର ବିଲ୍ଡିଂ ତିଆରି ସରିଛି। ଟ୍ରାନସଫର୍ମର ସଂଯୋଗରେ ବିଳମ୍ବ ହେତୁ ଟ୍ରମା କେୟାର ଆରମ୍ଭ ହୋଇ ପାରୁନାହିଁ। ତେବେ ଅନୁଗୁଳରେ ଏକ କ୍ରିଟିକଲ୍ କେୟାର ୟୁନିଟର ଢେର ଆବଶ୍ୟକତା ଅଛି। ଟ୍ରମା କେୟାରରେ ଦୁର୍ଘଟଣାଗ୍ରସ୍ତ ରୋଗୀଙ୍କୁ ସେବାଯୋଗାଇ ଦିଆଯିବ। କିନ୍ତୁ କ୍ରୀଟିକାଲ କେୟାର ୟୁନିଟରେ ହାର୍ଟ,କିଡନୀ ଫେଲ ଭଳି ଗୁରୁତର ରୋଗୀଙ୍କୁ ଚିକିତ୍ସା ଦେଇହେବ।ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ଭିତ୍ତିଭୂମି ଯୋଜନାରେ କେନ୍ଦ୍ର ସରକାର ଏଭଳି ବ୍ଲକ୍ ନିର୍ମାଣ କରିପାରିବେ ଏବଂ ଏଭଳି ଏକ ବ୍ଲକ୍ର ଆବଶ୍ୟକତା ମଧ୍ୟ ରହିଛି।
ବିଶ୍ଵସ୍ତ ସୂତ୍ରରୁ ମିଳିଥିବା ଖବର ଅନୁସାରେ ପ୍ରଶାସନ ମଧ୍ୟ ଏଭଳି ଏକ ବ୍ଲକ୍ ଖୋଲିବା ନେଇ ଭୂମି ଖୋଜିବାରେ ବ୍ୟସ୍ତ ଅଛି। ସେହିଭଳି ମାତୃ ଶିଶୁ ମଙ୍ଗଳ ବ୍ଲକ୍ରେ ଏବେ ସ୍ଥାନର ଅଭାବ ହେଉଥିବାରୁ ଏବଂ କଲେଜଗଢା ହେବା ପରେ ଏକ ନୂଆ ପେଡିଆଟ୍ରିକ ବ୍ଲକ୍ର ଆବଶ୍ୟକତା ରହିଛି। ଏହି ବ୍ଲକ୍ରେ ଶିଶୁ ରୋଗୀ ମାନଙ୍କ ପାଇଁ ଉଭୟ ଆଇପିଡି ଓ ଓପିଡିର ବ୍ୟବସ୍ଥା ରହିପାରିବ। ଏହି ଦୁଇ ବିଲଡିଂ ନିର୍ମାଣ ହେଲେ ଜିଲ୍ଲା ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ ହୋଇପାରିବ।ଆଗାମୀ ଭିତ୍ତିଭୂମି ସମୀକ୍ଷା ବୈଠକରେ ଏଥିନେଇ ଆଲୋଚନା ହୋଇପାରେ ବୋଲି ଆଶା କରାଯାଉଛି।