ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବଦଳି ଆଇନକୁ ଫୁ’, ବର୍ଷ ବର୍ଷ ଧରି ଗାଦି ମାଡ଼ି ବସିଛନ୍ତି ଏକାଧିକ କର୍ମଚାରୀ

You are currently viewing ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବଦଳି ଆଇନକୁ ଫୁ’, ବର୍ଷ ବର୍ଷ ଧରି ଗାଦି ମାଡ଼ି ବସିଛନ୍ତି ଏକାଧିକ କର୍ମଚାରୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବଦଳି ଆଇନକୁ ଫୁ’। ଏଠାରେ ବର୍ଷ ବର୍ଷ ଧରି ଗାଦି ମାଡ଼ି ବସିଛନ୍ତି ଏକାଧିକ କର୍ମଚାରୀ। ହସ୍ପିଟାଲରେ କାର୍ଯ୍ୟରତ କିଛି କର୍ମଚାରୀ ଦୀର୍ଘ ବର୍ଷ ହେଲାଣି ଗୋଟିଏ ଚୌକିରେ ବସିଛନ୍ତି। ସରକାରଙ୍କ ବଦଳି ଆଇନକୁ ବାଟବଣା କରି ହାକିମ ମଧ୍ୟ ଏଭଳି ବେଆଇନ କାମକୁ ବର୍ଷ ବର୍ଷ ଧରି ପ୍ରଶ୍ରୟ ଦେଇ ଆସୁଛନ୍ତି।
ଜୁନ ଜୁଲାଇ ହେଉଛି ବଦଳି ଋତୁ। ଏହି ସମୟରେ ସବୁ ବିଭାଗରେ ବଦଳି ହେବା ନିୟମ ରହିଛି। କିନ୍ତୁ ଅନୁଗୁଳ ଜିଲ୍ଲା ମେଡିକାଲରେ ଓଲଟା।

ଏଠାରେ କାର୍ଯ୍ୟରତ କିଛି କର୍ମଚାରୀ ବର୍ଷ ବର୍ଷ ହେଲାଣି ସମାନ ପଦବୀରେ ଗାଦି ମାଡ଼ି ବସିଛନ୍ତି। କୁହାଯାଉଛି ଯେ ଉପରିସ୍ଥ ଅଧିକାରୀଙ୍କୁ ମନ ଖୁସି କରିବା ଭଳି ମାଲ ଦେଇ ଏହି କର୍ମଚାରୀମାନେ ଏଠାରେ ଅଟଳ ରହିଛନ୍ତି।
ଗତ ଜୁନ ମାସରେ ଏଏନ୍ଏମଙ୍କ ବଦଳି ହେଲା। କିନ୍ତୁ କିରାଣୀସ୍ତରୀୟ କର୍ମଚାରୀ କୋଳି ଖାଇ ମଞ୍ଜି ପୋତିବା ଭଳି ଯୋଉଠିଥିଲେ ସେଇଠି ଅଛନ୍ତି। କେବଳ କିରାଣୀ ନୁହେଁ, ସେକ୍ସନ ଅଫିସର ବି ଦୀର୍ଘ ବର୍ଷ ହେଲାଣି ଏଠାରୁ ହଲୁ ନାହାନ୍ତି। ଫଳରେ ହସ୍ପିଟାଲରେ ଦିନକୁ ଦିନ ଦୁର୍ନୀତି ବଢ଼ିଚାଲିଥିବା ନେଇ ଅଭିଯୋଗ ହେଉଛି।

ଏହି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଟେଣ୍ଡର ଠାରୁ ନିଯୁକ୍ତି, ଆସବାବପତ୍ର କିଣା ଠାରୁ ଏରିଅର୍ ଯାଏଁ ସବୁଠି ପିସି କାରବାର ହୁଏ। ବିନା ନୋଟରେ ଏଠି ଫାଇଲ ବି ଘୁଞ୍ଚେନି। ବର୍ଷ ବର୍ଷ ଧରି ଗୋଟିଏ ଜାଗାରେ ଗାଦି ମାଡ଼ି ବସିଥିବା ଏହି ଅଧିକାରୀ ପିସି କାରବାରକୁ ଅଧିକ ପ୍ରଶ୍ରୟ ଦେଇଥାନ୍ତି। ତେବେ ନୂଆ ବିଧାୟକ ଏହି ଅଚଳ ମହାମେରୁ ଅଧିକାରୀଙ୍କୁ ତୁରନ୍ତ ବଦଳି କରିବା ସହ ହସ୍ପିଟାଲରେ ଚାଲିଥିବା ଦୁର୍ନୀତିର ପର୍ଦ୍ଦା ଫାସ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Share

Leave a Reply