ଭୁବନେଶ୍ୱର : କୃଷି ଋଣର ୬୦ ପ୍ରତିଶତ ସମବାୟ ବ୍ୟାଙ୍କ ମାଧ୍ୟମରେ ହିତାଧିକାରୀ ଚାଷୀଙ୍କ ନିକଟରେ ପହଞ୍ଚୁଛି। ଏହିକ୍ରମରେ ସମବାୟ ବିଭାଗ କେନ୍ଦ୍ରୀୟ ସମବାୟ ବ୍ୟାଙ୍କଗୁଡ଼ିକୁ ଅଧିକ ସଶକ୍ତ କରିବା ଦିଗରେ ଧ୍ୟାନ ଦେଉଛନ୍ତି। ସମ୍ପ୍ରତି ରାଜ୍ୟର ଅନୁଗୁଳ, ଆସ୍କା, ବାଲେଶ୍ୱର, ବାଙ୍କୀ, ବ୍ରହ୍ମପୁର, ଭବାନୀପାଟଣା, ବଲାଙ୍ଗିର, ବୌଦ୍ଧ, କଟକ, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ମୟୂରଭଞ୍ଜ, ନୟାଗଡ଼, ସମ୍ବଲପୁର, ସୁନ୍ଦରଗଡ଼ ଓ ପୁରୀରେ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ରହିଛି। ଗତ ୩ ଆର୍ଥିକ ବର୍ଷରେ ୧୭ଟିଯାକ ବ୍ୟାଙ୍କ ଲାଭବାନ ସ୍ଥିତିରେ ରହିଛନ୍ତି।
୨୦୧୯-୨୦ ଆର୍ଥିକ ବର୍ଷରେ କେନ୍ଦ୍ରୀୟ ସମବାୟ ବ୍ୟାଙ୍କଗୁଡ଼ିକ ୧୫୦ କୋଟି ୪୯ ଲକ୍ଷ ୭ ହଜାର ଟଙ୍କା ଲାଭ କମାଇଥିଲେ। ସେହିଭଳି ୨୦୨୦-୨୧ରେ ୯୯ କୋଟି ୮୭ ଲକ୍ଷ ୫୮ ହଜାର ଟଙ୍କା ଓ ୨୦୨୧-୨୨ରେ ୧୦୯ କୋଟି ୬୦ ଲକ୍ଷ ୫୨ ହଜାର ଟଙ୍କା ଲାଭ କରିଛନ୍ତି। ସେହିଭଳି ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଅତିକମ୍ରେ ୧୨୦ କୋଟି ଟଙ୍କା ଲାଭ କରିବ ବୋଲି ସମବାୟ ବିଭାଗ ଅନୁମାନ କରୁଛି। ତେବେ ଲକ୍ଷ୍ୟ ପ୍ରସ୍ତୁତ ଓ ହାସଲ ନେଇ ବ୍ୟାଙ୍କ ସ୍ତରରେ ସମୀକ୍ଷା ବୈଠକ ନିୟମିତ ଅନ୍ତରାଳରେ କରାଯାଉଛି ବୋଲି ବିଭାଗୀୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି।