ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବିକ୍ରମପୁର ଥାନା ଗୋବରା ଗ୍ରାମ ଅଞ୍ଚଳରେ ଆଜି ସନ୍ଧ୍ୟାରେ ଏକ କାର ଦୁର୍ଘଟଣାରେ ଆଈ ସହିତ ଦୁଇ ନାତିଙ୍କ ମୃତ୍ୟୁ ହୋଇଛି।
ସୂଚନା ମୁତାବକ, ଗୋବରା ଗ୍ରାମ ଦେଇ ଏକ କାର (ଓଡ଼ି ୦୨ ବିସି ୩୭୬୫) ଅନୁଗୁଳ ସହର ଆଡ଼କୁ ଯାଉଥିଲା। ନିଶାରେ ଥିବା କାର ଚାଳକ ପାଣି ଆଣିବାକୁ ଯାଉଥିବା ଗାଁର ପ୍ରମିଳା ପ୍ରଧାନ(୫୫) ଏବଂ ତାଙ୍କ ନାତି ପୁର୍ଣ୍ଣମ ପ୍ରଧାନ(୪) ଓ ଦିବ୍ୟଅଂଶୁ ପ୍ରଧାନ(୭)ଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ପ୍ରମିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ନାତି ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ଉଭୟଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଉଭୟଙ୍କୁ ଡାକ୍ତରୀ ମୃତ ଘୋଷଣା କରିଛନ୍ତି।
ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳବାସୀ କାର ଚାଳକଙ୍କୁ ଧରି ନିର୍ଦ୍ଧୁମ ଛେଚିଥିଲେ। ଖବର ପାଇ ପୋଲିସ ପହଞ୍ଚି କାରକୁ ଜବତ କରିବା ସହ ଡ୍ରାଇଭରକୁ ଗ୍ରାମବାସୀଙ୍କ କବଳରୁ ଉଦ୍ଧାର କରିଥିଲା।
ଏହି ଘଟଣାକୁ ନେଇ ଦୁର୍ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେଇଥିବା ବେଳେ ବିକ୍ରମପୁର ଥାନାଧିକାରୀ ସହିତ ପୋଲିସ୍ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।