ପର୍ଯ୍ୟଟକଙ୍କୁ ଲୁଟ ମାମଲାକୁ ଗମ୍ଭୀରତାର ସହ ନେଲା ଅନୁଗୁଳ ପୋଲିସ, ୩ ଅଭିଯୁକ୍ତଙ୍କୁ କଲା ଗିରଫ

You are currently viewing ପର୍ଯ୍ୟଟକଙ୍କୁ ଲୁଟ ମାମଲାକୁ ଗମ୍ଭୀରତାର ସହ ନେଲା ଅନୁଗୁଳ ପୋଲିସ, ୩ ଅଭିଯୁକ୍ତଙ୍କୁ କଲା ଗିରଫ

ଅନୁଗୁଳ: ପର୍ଯ୍ୟଟକଙ୍କୁ ଅନୁଗୁଳରେ ଲୁଟ। ଏନେଇ ଅଭିଯୋଗ ପରେ ପୋଲିସ ମାମଲାକୁ ଗମ୍ଭୀରତାର ସହ ନେଇ ତଦନ୍ତ ଆରମ୍ଭ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ବଅଁରପାଳ ଥାନା ଅନ୍ତର୍ଗତ ଟେଣ୍ଟୁଲୋଇ ଗ୍ରାମର ସୁନିଲ୍ ଓରଫ୍ ଗୋବିନ୍ଦ ନାଏକ(୨୬), ବଅଁରପାଳ ଥାନା ଅନ୍ତର୍ଗତ ଶୁଖୁଆସାଲି ଦିପୁ ଓରଫ୍ ସଞ୍ଜୟ ନାଏକ(୨୭) ଓ ବଅଁରପାଳ ତଳସାହିର ବିଜୟ ପରିଡ଼ା।

ସୂଚନା ମୁତାବକ, ମହାରାଷ୍ଟ୍ରର ଅରବାସ୍ କାୟୁମ୍ ଖାନ୍(୨୬) ଶୁକ୍ରବାର ଦିନ ଟ୍ରେନ୍‌ରେ ଅନୁଗୁଳ ଷ୍ଟେସନ୍‌ରେ ପହଞ୍ଚିଥିଲେ। ପରେ ଗୋବିନ୍ଦ, ସଞ୍ଜୟ ଓ ବିଜୟଙ୍କ ସହ ତାଙ୍କର ଭେଟ ହୋଇଥିଲା। ସେମାନେ ଅରବାସ୍ ସହ ସମ୍ପର୍କ ବଢ଼ାଇବା ସହିତ ସନ୍ଧ୍ୟା ୮ଟା ବେଳକୁ ପୁରୁଣା ବସଷ୍ଟାଣ୍ଡ୍ ନିକଟ ଏକ ରେଷ୍ଟୁରାଣ୍ଟୁକୁ ନେଇ ଖିଆପିଆ କରିଥିଲେ। ପରେ ତାଙ୍କୁ ସହର ଉପକଣ୍ଠ ଏକ ଜଙ୍ଗଲକୁ ନେଇ ମାରପିଟ୍ କରିବା ସହିତ ମାରଣାସ୍ତ୍ର ଦେଖାଇ ଲୁଟ୍ କରିଥିଲେ। ତାଙ୍କ ପାଖରେ ଥିବା ନଗଦ ୫ ହଜାର ଟଙ୍କା ଓ ଫୋନ୍ ପେ’ରୁ ୨୫ ହଜାର ଟଙ୍କା ନେଇଯାଇଥିଲେ। ଏଥିସହ ମୋବାଇଲକୁ ଭାଙ୍ଗି ଫେରାର୍ ହୋଇଯାଇଥିଲେ।

ଅରବାସ୍ କୌଣସି ମତେ ସେଠାରୁ ଚାଲି ଆସି ସକାଳେ ଟାଉନ୍ ଥାନା ସାମ୍ନାରେ ପହଞ୍ଚିଥିଲେ। କିନ୍ତୁ ପୋଲିସ ତାଙ୍କୁ ମେଡିକାଲରେ ଚିକିତ୍ସିତ ହୋଇ ସାରି ଏତଲା ଦେବାକୁ ପରାମର୍ଶ ଦେଇଥିଲେ। ମାତ୍ର ଅରବାସ୍‌ ମେଡିକାଲ୍‌କୁ ଆସିବା ପରେ ଆଉ ଥାନାକୁ ଫେରିନଥିଲେ ଓ ଏକ ଭିଡିଓ ସୋସିଆଲ୍ ମିଡିଆରେ ଛାଡି ଲୁଟ୍ ନେଇ ଅଭିଯୋଗ କରିଥିଲେ। ଭିଡିଓ ଭାଇରାଲ୍ ହେବା ପରେ ଟାଉନ୍ ଥାନା ଅଧିକାରୀ ଘଟଣାକୁ ଗୁରୁତ୍ୱର ସହ ନେଇ ଅରବାସ୍‌ଙ୍କୁ ଯୋଗାଯୋଗ କରିଥିଲେ। ଏ ନେଇ ପୋଲିସ ନିଜ ଆଡ଼ୁ ମାମଲା ରୁଜୁ କରି ସୋମବାର ୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

Share

Leave a Reply