ପୁରୀ: ଗୁରୁବାର ଶ୍ରୀମନ୍ଦିରରେ ଚିତାଲାଗି ଅମାବାସ୍ୟା ନୀତି ହେବ। ଶ୍ରାବଣ କୃଷ୍ଣ ଅମାବାସ୍ୟା ତିଥିରେ ମହାପ୍ରଭୁଙ୍କୁ ଚିତା ଲାଗି ହେବ। ଏହି ସ୍ବତନ୍ତ୍ର ନୀତି ପାଇଁ ଅପରାହ୍ନ ୨ଟା ୩୦ ମିନିଟ୍ରୁ ସନ୍ଧ୍ୟା ୬ଟା ୩୦ ମିନିଟ୍ପର୍ଯ୍ୟନ୍ତ ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ପ୍ରଥମ ଭୋଗ ମଣ୍ଡପ ନୀତି ପରେ ଏହି ସ୍ବତନ୍ତ୍ର ନୀତି ଆରମ୍ଭ ହେବ। ଏଣୁ ମହାପ୍ରଭୁଙ୍କ ଦର୍ଶନ ପାର୍ଇ ଆସୁଥିବା ଭକ୍ତମାନେ ସେହି ଅନୁସାରେ ପୁରୀକୁ ଯାତ୍ରା ନିର୍ଘଣ୍ଟ ପ୍ରସ୍ତୁତ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ଏହି ଦିନ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଚିତାଲାଗ ନୀତି ହୋଇଥାଏ। ଦଇତାପତି ସେବକମାନେ ଏହି ନୀତି ସମ୍ପାଦନ କରିଥାନ୍ତି। ଏହା ଗୁପ୍ତ ନୀତି ହୋଇଥିବାରୁ ଜୟବିଜୟ ଦ୍ବାର ବନ୍ଦ ରଖି ନୀତି କରାଯାଇଥାଏ। ପ୍ରଥମ ଭୋଗମଣ୍ଡପ ଶେଷ ହେବା ପରେ ଦଇତାପତି ସେବକମାନେ ଚିତାଲାଗି ପାଇଁ ଗର୍ଭଗୃହରେ ପ୍ରବେଶ କରିଥାନ୍ତି। ରତ୍ନସିଂହାସନ ଉପରେ କାଠଘୋଡ଼ା ଉପରେ ଚଢି ପାଟଡ଼ୋରିରେ ଶ୍ରୀବିଗ୍ରହଙ୍କ ଶ୍ରୀମୁଖରେ ଚିତା ଲାଗି କରିଥାନ୍ତି। ଶ୍ରୀବଳଭଦ୍ରଙ୍କ ଶ୍ରୀମୁଖରେ ସବୁଜ ରଙ୍ଗର ପାନ୍ନାଚିତା, ଶ୍ରୀଜଗନ୍ନାଥଙ୍କ ଶ୍ରୀମୁଖରେ ବ୍ରହ୍ମଜ୍ୟୋତି ଖଚିତ ହୀରାଚିତା ଓ ମା’ ସୁଭଦ୍ରାଙ୍କ ଶ୍ରୀମୁଖରେ ମାଣିକ୍ୟ ଖଚିତ ଚିତା ଲାଗି କରାଯିବ।