ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ପୋଲିସକୁ ନିର୍ମମ ଆକ୍ରମଣ ଘଟଣାରେ ଦୁଇଜଣଙ୍କୁ ଗିରଫ କରାଯାଇଛି। ଗିରଫ ଦ୍ୱୟ ହେଲେ ମେଟା କମ୍ପାନୀର ସୁପରଭାଇଜର ଅନୁଗୁଳ ଥାନା ତୁରଙ୍ଗ ଗାଁର ଅମ୍ଲାନ ବିପ୍ଳବ ସ୍ବଦେଶ ମହାନ ଏବଂ ଝାଡ଼ଖଣ୍ଡର ପୋକଲେନ ମେସିନ ଅପରେଟର ସୁଦର୍ଶନ କୁମାର ଗୋପ।
ଜରପଡ଼ା ଷ୍ଟେସନରେ ଟ୍ରେନ ମାଧ୍ୟମରେ ଘରୋଇ କୋଇଲା ପରିବହନକୁ ନେଇ ମେଟା ଓ ୟସୁଜା କମ୍ପାନୀ ମଧ୍ୟରେ ଦୀର୍ଘଦିନୀୟ ଜମି ବିବାଦ ଲାଗି ରହିଛି। କିଛିଦିନ ପୂର୍ବରୁ କୋଇଲା ପରିବହନ ରାସ୍ତା କାମ ନେଇ ଉଭୟ କମ୍ପାନୀର କର୍ମଚାରୀଙ୍କ ମଧ୍ୟରେ ଝଗଡ଼ା ହୋଇ ଥାନା ପର୍ଯ୍ୟନ୍ତ ପହଞ୍ଚିଥିଲା। ପୋଲିସ ଜମି ଚିହ୍ନଟ ପରେ କାମ ବନ୍ଦ କରିଦେଇଥିଲେ।
ଶୁକ୍ରବାର ଅପରାହ୍ନରେ ଜରପଡ଼ା ଥାନାର ଏସଆଇ ଲଳିତ ମୋହନ ବିଶ୍ୱାଳ ଓ କନେଷ୍ଟବଳ ରମାକାନ୍ତ ମାଝୀ କାମ ଚାଲୁଥିବା ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ବୁଝିବାକୁ ଯାଇଥିଲେ। ସେଠାରେ ଅମ୍ଲାନ ଓ ସୁଦର୍ଶନଙ୍କ ସହ ୫ରୁ ୬ ଜଣ ଯୁବକ ପୋଲିସକୁ ମାଡ଼ ମାରିଥିଲେ। ଫଳରେ ଏସଆଇ ଲଳିତ ମୋହନ ବିଶ୍ୱାଳ ଓ କନେଷ୍ଟବଳ ରମାକାନ୍ତ ମାଝୀ ଆହତ ହୋଇଥିଲେ।
ଏହି ଘଟଣାରେ ଥାନାରେ ମାମଲା ନଂ ୪୩୭/୨୫ ରୁଜୁ ହୋଇଛି। ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅମ୍ଲାନ ଓ ସୁଦର୍ଶନଙ୍କୁ ଗିରଫ କରିବା ସହ ଲାଠି ଓ ଏକ ପୋକଲେନ ମେସିନ ଜବତ କରିଛି। ଗିରଫ ଦ୍ୱୟଙ୍କୁ କୋର୍ଟ ଚାଲାଣ କରାଯାଇଛି। ଅନ୍ୟ ସମ୍ପୃକ୍ତମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ଅନୁଗୁଳ ଏସଡିପିଓ ରମାକାନ୍ତ ମାହାଳିକ ପ୍ରକାଶ କରିଛନ୍ତି।




