ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ବଜ୍ରକୋଟ ପଞ୍ଚାୟତ ଗୁଣ୍ଡୁରୀ ଗ୍ରାମରେ ବଜ୍ରପାତରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି।
ଗୁରୁବାର ଅପରାହ୍ନରେ ଝଡ଼ତୋଫାନ ବେଳେ ଗ୍ରାମର ତିନି ଜଣ ଆମ୍ବତୋଟାକୁ ଆମ୍ବ ସଂଗ୍ରହ କରିବାକୁ ଯାଇଥିଲେ। ଏହି ସମୟରେ ବର୍ଷା ସହ ବ୍ରଜପାତ ହୋଇଥିଲା। ଆମ୍ବ ଗଛ ମୂଳେ ଥିବା ବେଳେ ତିନି ଜଣ ବ୍ରଜପାତ ଯୋଗୁଁ ଚେତାଶୂନ୍ୟ ହୋଇଥିଲେ। ଖବର ପାଇ ସମ୍ପର୍କୀୟ ମାନେ ୧୦୮ ଆମ୍ବୁଲାନ୍ସ ଯୋଗେ ସମସ୍ତଙ୍କୁ କଣିହାଁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। କଣିହାଁ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡ. ସୁମନ୍ତ କୁମାର ପଟେଲ ପ୍ରାଥମିକ ଚିକିତ୍ସା ପରେ ୨ ଜଣକୁ ମୃତ ଘୋଷଣା କରିଥିବା ବେଳେ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି। ଘଟଣାସ୍ଥଳରେ କଣିହାଁ ପୁଲିସ ପହଞ୍ଚି ଦୁଇ ମୃତଦେହ ଜବତ କରି ଅପମୃତ୍ୟୁ ମାମଲା ରୁଜୁ କରିଛି। ମୃତକ ହେଲେ କାହ୍ନୁଚରଣ ମିଶ୍ର (୬୩) ଓ ଶିବ ନାଏକ (୧୫)। ଗୁରୁତର ବାଳକ ହେଲେ ଶୁଭମ୍ ମହାପାତ୍ର (୧୨)। ଏ ନେଇ କଣିହାଁ ଆଇଆଇସି ରମଣୀ ରଞ୍ଜନ ଦଳେଇ ସୂଚନା ଦେଇଛନ୍ତି।