ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଗୋତମରା ଗାଁରେ ମଙ୍ଗଳବାର ଗାଁର ଦୁଇ ଭାଇ ଖଣ୍ଡା ଧରି ଆତଙ୍କ ସୃଷ୍ଟି କରିବା ସହିତ ପୋଲିସ ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏହି ଘଟଣାରେ ଦୁଇ ଅଭିଯୁକ୍ତଙ୍କ ନାମରେ ଦୁଇଟି ପୃଥକ ପୃଥକ ମାମଲା ରୁଜୁକରି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।
ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଗୋତମରା ଗାଁର ଦୁଇ ଭାଇ ଦୀପକ ଭୋଇ(୨୫) ଓ ସିପୁନ ଭୋଇ(୧୯) କୌଣସି କାରଣରୁ ନିଶାସକ୍ତ ଅବସ୍ଥାରେ ଖଣ୍ଡା ଧରି ଆତଙ୍କ ସୃଷ୍ଟି କରିବା ସହ ଘର ବାହାରେ ଲୋକଙ୍କୁ ଭୟଭୀତ କରିଥିଲେ । ଘଟଣା ସମ୍ପର୍କରେ ଖବର ପାଇ ଥାନା ଏଏସଆଇ ହରେଶ ଦଳେଇ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ନିବୃତ୍ତ କରିବାକୁ ଚେଷ୍ଟା କରିବାରୁ ଦୁଇ ଭାଇ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ତାଙ୍କ ମୁହଁରେ ମୁଥ ମାରିବା ସହ ପ୍ୟାଣ୍ଟସାର୍ଟ ଚିରି ଡ୍ରେନରେ ପକେଇ ଦେଇଥଲେ । ଫଳରେ ଅଧିକାରୀ ଆହାତ ହୋଇଥିଲେ। ଘଟଣା ସମସ୍ତେ ଦେଖୁଥିଲେ ସୁଦ୍ଧା ଭୟରେ କେହି ସାହାଯ୍ୟ କରି ପାରିନଥିଲେ। କିଛି ସମୟ ଧସ୍ତାଧସ୍ତି ପରେ ଉଭୟଙ୍କୁ ପୋଲିସ କାବୁକରି ଥାନାକୁ ଆଣିଥିଲା। ପୋଲିସକୁ ମରଣାନ୍ତକ ଆକ୍ରମଣକୁ ନେଇ ଆକ୍ରମଣର ଶିକାର ହୋଇଥିବା ଏଏସଆଇ ଶ୍ରୀ ଦଳେଇଙ୍କ ଏତଲା କ୍ରମେ ଦୁଇଟି ପୃଥକ ପୃଥକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଦୁଇ ଭାଇଙ୍କୁ କୋର୍ଟ ଚାଲାଣ କରାଯାଇଛି ।